କେମିତି ମଲା ଦୁର୍ଦ୍ଦଶ ଆତଙ୍କବାଦୀ ବଗଦାଦି । ହ୍ୱାଇଟ୍ ହାଉସରେ ବସି ସିରିଆ ଅପରେସନର ଟିକନିକ୍ ଦୃଶ୍ୟ ଦେଖୁଥିଲେ ଆମେରିକା ରାଷ୍ଟ୍ରପତି ।

584

କନକ ବ୍ୟୁରୋ : ଆମେରିକାର ଅପରେସନରେ ମୃତ ଆଇଏସ ମୁଖ୍ୟ । ଆତ୍ମଘାତୀ ବିସ୍ଫୋରଣରେ ଅଲ-ବଗଦାଦିର ମୃତ୍ୟୁ । ସିରିଆରେ ଚାଲିଥିଲା ଅପରେସନ୍ । ହ୍ୱାଇଟ ହାଉସରେ ବସି ଦେଖୁଥିଲେ ଆମେରିକା ରାଷ୍ଟ୍ରପତି । ଇଡଲିବରେ ଆମେରିକା ସେନା ଡେଲ୍ଟା ଫୋର୍ସର ଅପରେସନକୁ ବସି ଲାଇଭ ଦେଖୁଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ । ନିୟମିତ ଭାବେ ଅପରାହ୍ନ ୫ଟାରେ ଅଫିସ ଆସୁଥିବାବେଳେ ଶନିବାର ସାଢେ ୪ଟାରେ ପହଂଚିଥିଲେ ଟ୍ରମ୍ପ । ଅର୍ଥାତ ସିରିଆରେ ସମୟ ହୋଇଥିଲା ଦିନ ସାଢେ ୧୦ଟା । ହ୍ୱାଇଟ ହାଉସର ସିଚୁଏସନ ରୁମରେ ବସି ସିରିଆରେ ସେନା ଅପରେସନର ଲାଇଭ ଚିତ୍ର ଦେଖିବାକୁ ହୋଇଥିଲା ବନ୍ଦୋବସ୍ତ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସିଚୁଏସନ ରୁମରେ ଏକାଠି ହୋଇଥିଲେ ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ସଚିବ ମାର୍କ ଏସ୍ପର, ଜାତୀୟ ସୁରକ୍ଷା ପରାମର୍ଶଦାତା ରୋବର୍ଟ ଓବ୍ରେନ୍, ଆମେରିକା ସେନା ମୁଖ୍ୟ ଜେନେରାଲ ମାର୍କ ମିଲି ଏବଂ ଅନ୍ୟଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ । ଘରେ ବସି ଏକ ଫିଲ୍ମ ଦେଖିଲା ଭଳି ସୁଦୂର ସିରିଆର ଇଡଲିବରେ ଆମେରିକା ସେନା ଚଳାଇଥିବା ପ୍ରତ୍ୟେକଟି ଅପରେସନକୁ ଲାଇଭ ଦେଖିଥିଲେ ଏମାନେ । ପ୍ରାୟ ୨ ଘଂଟାର ଅପରେସନ ପରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଦୁର୍ଦ୍ଦଶ ଆତଙ୍କବାଦୀ ଅଲ ବଗଦାଦିର ମୃତ୍ୟୁ ହୋଇଥିଲା ।

ଶନିବାର ପ୍ରଥମେ ଆସିଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଟ୍ୱିଟ୍ । ଯେଉଁଥିରେ ସେ ଘୋଷଣା କରିଥିଲେ ଯେ, କିଛି ବଡ ଘଟଣା ହୋଇଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ସର୍ବଶକ୍ତିମାନ ନେତାଙ୍କ ଏଭଳି ଟ୍ୱିଟ ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା ଆଲୋଚନା । ଆଉ ସବୁ ଅନୁମାନ ଆସି ଅଟକୁଥିଲା ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ ବଗଦାଦିର ମୃତ୍ୟୁ ଖବରରେ । କିଛିକ୍ଷଣ ମଧ୍ୟରେ ସବୁ ରହସ୍ୟ ଉପରୁ ପରଦା ହଟାଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଥିଲେ ଯେ, ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା, ଏକ ନମ୍ବର ଅନ୍ତର୍ଜାତୀୟ ଆତଙ୍କବାଦୀ ଅବୁ ବକର ଅଲ ବଗଦାଦିର ମୃତ୍ୟୁ ହୋଇଛି । ଆମେରିକା ସେନା ଦ୍ୱାରା କୁକୁର ଭଳି ମରିଛି ଆଇଏସ ମୁଖ୍ୟ । ଜୀବନର ଅନ୍ତିମ ସମୟରେ କାନ୍ଦୁଥିଲା, ଜୀବନ ଭିକ୍ଷା କରି ପାଦତଳେ ଲୋଟି ପଡୁଥିଲା ବଗଦାଦି । ଆଉ ଶେଷରେ ଏକ ଆତ୍ମଘାତୀ ବିସ୍ଫୋରଣରେ ତାର ମୃତ୍ୟୁ ହୋଇଥିଲା ।

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଏକ ନମ୍ବର ଅପରାଧୀ ଜୀବନର ଅନ୍ତିମ ସମୟରେ ଖୁବ ଭୟଭୀତ ଥିଲା । ନିଜ ଅପରାଧ ପାଇଁ କ୍ଷମା ମାଗିବା ସହ ଖୁବ ଜୋରରେ ପାଟିକରି କାନ୍ଦୁଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଆମେରିକା ସେନାର କୁକୁରଙ୍କ ଆକ୍ରମଣରେ ମୃତ୍ୟୁ ଅପେକ୍ଷା ନିଜ ପାଖରେ ରଖିଥିବା ଏକ ବିସ୍ଫୋରକ ଜାକେଟକୁ ପିନ୍ଧି ନିଜକୁ ନିଜେ ବିସ୍ଫୋରଣରେ ଉଡାଇ ଦେଇଥିଲା ବଗଦାଦି । ଫଳରେ ଗୁମ୍ପା ଭିତରେ ବଗଦାଦିର ଶରୀର ଖଣ୍ଡବିଖଣ୍ଡ ହୋଇଯାଇଥିଲା । ତା ସାଙ୍ଗରେ ଥିବା ତାର ତିନି ପିଲାଙ୍କର ମଧ୍ୟ ଅତି ଦୟନୀୟ ଭାବେ ମୃତ୍ୟୁ ହୋଇଛି । ସେହିପରି ଆମେରିକା ସେନା ଓ ବଗଦାଦି ସେନା ମଧ୍ୟରେ ଗୁଳିବିନିମୟରେ ତାର ଦୁଇ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ବଗଦାଦିର ଖଣ୍ଡବିଖଣ୍ଡିତ ଶରୀରକୁ ସାଙ୍ଗରେ ଆଣିଛି ଆମେରିକା ସେନା । ଏଠାରେ ମଧ୍ୟ ତାର ଆଉଥରେ ଡିଏନଏ ପରୀକ୍ଷା କରି ମୃତ୍ୟୁର ସୌଦାଗରର ମୃତ୍ୟୁ ନେଇ ସାରା ବିଶ୍ୱକୁ ସ୍ପଷ୍ଟ କରିବ ଆମେରିକା ।