ସ୍ମାର୍ଟ କିନ୍ତୁ ସ୍ୱଚ୍ଛ ନୁହେଁ ! ସ୍ୱଚ୍ଛତା ତାଲିକାରେ ୯୪ତମ ସ୍ଥାନକୁ ଖସିଲା ଭୁବନେଶ୍ୱର

82

କନକ ବ୍ୟୁରୋ : ସ୍ମାର୍ଟ ହେଉଛି ଭୁବନେଶ୍ୱର, ମାତ୍ର ସ୍ୱଚ୍ଛତାରେ ତଳକୁ ତଳକୁ ଯାଉଛି । ଆଗକୁ ସ୍ମାର୍ଟ ହେବାର ସୁଯୋଗ ରଖିଥିବା ଭୁବନେଶ୍ୱର ସହର ସ୍ୱଚ୍ଛତା ସର୍ବେକ୍ଷଣରେ ଗତବର୍ଷ ତୁଳନାରେ ଆହୁରି ୭୦ଟି ସ୍ଥାନ ତଳକୁ ଖସିଯାଇଛି । ସର୍ବଭାରତୀୟ ସର୍ବେକ୍ଷଣରେ ୨୦୧୬ ମସିହାରେ ଭୁବନେଶ୍ୱରର ସ୍ଥାନ ୨୪ ଥିବା ବେଳେ ଏଥର ତାହା ୯୪ ସ୍ଥାନକୁ ଖସିଯାଇଛି ।

ଭାରତରେ ମଧ୍ୟପ୍ରଦେଶର ଇନ୍ଦୋର ସହର ସ୍ୱଚ୍ଛତାରେ ୧ ନମ୍ବର ସ୍ଥାନ ହାସଲ କରିଛି । ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଦୁଇ ମାସ ଧରି ସର୍ଭେ ହେବା ପରେ ଆଜି ଦିଲ୍ଲୀରେ ଏଭଳି ଫଳ ଘୋଷଣା କରିଛନ୍ତି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭେଙ୍କିୟା ନାଇଡୁ । ଭାରତରେ ଦ୍ୱିତୀୟ ସ୍ୱଚ୍ଛ ସହର ରୂପେ ଭୋପାଳ ସ୍ଥାନ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବିଶାଖାପାଟଣା ।

ତେବେ ଆଶ୍ୱସନାର ବିଷୟ ହେଉଛି ପୂର୍ବ ଜୋନରେ ଭୁବନେଶ୍ୱର ଦ୍ରୁତ ଗତିରେ ବଢ଼ୁଥିବା ଏକ ବଡ଼ ସହରର ମାନ୍ୟତା ପାଇଥିବା ବେଳେ ରାଉରକୋଲା ଦ୍ରୁତ ଗତିରେ ବଢ଼ୁଥିବା ମଧ୍ୟମ ବର୍ଗର ସହରର ମାନ୍ୟତା ପାଇଛି । ଏହି ଦୁଇ ସହର ସ୍ୱଚ୍ଛତାରେ ଢ଼େର ପଛରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଘୋଷଣା କରିବା ପରେ ଦ୍ୱିତୀୟ ଥର ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ସର୍ବେକ୍ଷଣ କରାଯାଇଥିଲା ।

ସର୍ଭେରେ ୪୩୪ଟି ସହରକୁ ସାମିଲ କରାଯାଇଥିଲା । ଏଥିରେ ଓଡ଼ିଶାରୁ ଅନ୍ତର୍ଭୁକ୍ତ ୯ଟି ସହରର ର୍ୟାଙ୍କ୍ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରର ସ୍ଥାନ- ୯୪, ରାଉରକେଲା-୧୬୮, ବ୍ରହ୍ମପୁର- ୧୮୭, ବାଲେଶ୍ୱର- ୧୯୦, ପୁରୀ- ୧୯୪, କଟକ- ୨୦୪, ବାରିପଦା- ୨୬୧, ସମ୍ବଲପୁର- ୩୨୨, ଭଦ୍ରକ- ୩୪୯ ସ୍ଥାନରେ ରହିଛନ୍ତି । ସ୍ୱଚ୍ଛତାର ମାନଦଣ୍ଡରେ ସହରରେ ଖୋଲା ମଳତ୍ୟାଗ ସଂପୂର୍ଣ୍ଣ ବନ୍ଦ କରିବା ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।

ମୋଟ ୨୦୦୦ ମାର୍କରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୪୫ ପ୍ରତିଶତ ମାର୍କ ରଖାଯାଇଥିବା ବେଳେ ଲୋକଙ୍କ ମତାମତ ପାଇଁ ୩୦ ପ୍ରତିଶତ ମାର୍କ ରଖାଯାଇଥିଲା । ସର୍ଭେ କରୁଥିବା କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆର ପ୍ରତିନିଧିମାନେ ସବୁ ସହର ପରିଦର୍ଶନ କରି ଅବଶିଷ୍ଟ ୨୫ ପ୍ରତିଶତ ମାର୍କ ଦେଇଥିଲେ ।