ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବଡ଼ ଉପହାର : ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ୍

396

କନକ ବ୍ୟୁରୋ : ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । ୨୦୦ ୟୁନିଟ୍ ଯାଏଁ ବିଜୁଳି ବିଲ୍ ଛାଡ । ଆଜି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଯେଉଁ ଉପଭୋକ୍ତା ମାସିକ ୨୦୦ ୟୁନିଟ୍ ରୁ କମ୍ ବିଜୁଳି ବ୍ୟବହାର କଲେ , ସେମାନଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ । ଏପରି ସବସିଡି ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ୧୮ ଶହ କୋଟିର ବୋଝ ବଢିବ ।

ତେବେ ୨୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ କିନ୍ତୁ ପୂର୍ବ ପରି ପୁରା ବିଜୁଳି ବିଲ୍ ଦେବାକୁ ପଡିବ ବୋଲି କହିଛନ୍ତି କେଜରିୱାଲ । ୨୦୧୩ ପୂର୍ବରୁ ଦିଲ୍ଲୀରେ ବିଜୁଳି ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ବିଜୁଳି ପାଇଁ ୯ ଶହ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ଏବେ ସମାନ ବିଜୁଳି ବ୍ୟବହାର କଲେ କୌଣସି ବିଲ୍ ଦେବାକୁ ପଡିବନାହିଁ । ଦିଲ୍ଲୀରେ ବିଜୁଳି କଂପାନୀର କ୍ଷତି ସଂପର୍କରେ ସୂଚନା ଦେବାକୁ ଯାଇ କେଜରିୱାଲ କହିଛନ୍ତି ଆଗରୁ ବିଜୁଳି କମ୍ପାନୀର କ୍ଷତି ୧୭ ପ୍ରତିଶତ ରହିଥିଲା ।

ଏହା ଏବେ କମି କମି ୮ ପ୍ରତିଶତକୁ ଆସିଛି । ସାରା ଦେଶରେ ବିଜୁଳି ଦର ବଢୁଥିବା ବେଳେ ଦିଲ୍ଲୀରେ ବିଜୁଳି ଦର କମ୍ ହୋଇଛି । ଏବେ ଉପଭୋକ୍ତାଙ୍କୁ ଛାଡ ବି ମିଳିଛି । ଦିଲ୍ଲୀରେ ଜନତା ଏକ ଇମାନଦାର ସରକାର ବାଛି ଥିବାରୁ, ବିଜୁଳି ଉପଭୋକ୍ତାଙ୍କୁ ଏପରି ଉପହାର ମିଳିଥିବା କହିଛନ୍ତି କେଜରିୱାଲ ।