କୋଲକାତାରୁ ଦିଲ୍ଲୀ, ବଢିଲା ତାତି ! ମମତାଙ୍କୁ ସମର୍ଥନ କଲେ କେଜ୍ରିୱାଲ, ସେପଟେ ମୁକୁଳିଲେ ଅଟକ ଥିବା ୫ ସିବିଆଇ ଅଫିସର । 

358

କନକ ବ୍ୟୁରୋ : କୋଲକାତାରେ ସିବିଆଇ-ପୋଲିସ ମୁହାଁମୁହିଁ ଘଟଣା । ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେପଟେ ମମତାଙ୍କୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି, ମୋଦି-ଶାହା ଯୋଡି ଦେଶ ପାଇଁ ବିପଦ । ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ମୋଦି । ସେପଟେ କୋଲକାତା ସିବିଆଇ ଅଫିସକୁ ସୁରକ୍ଷା ଦେଉଛନ୍ତି ସିଆରପିଏଫ ଯବାନ । ଏପରିକି ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ସିଆରପିଏଫ ଯବାନ ବାହାର କରିଦେଇଛନ୍ତି । କୋଲକାତାରେ ଏକ ପ୍ରକାର ସିବିଆଇ ଓ ପୋଲିସ ବିବାଦ ତେଜିବାରେ ଲାଗିଛି ।

ସେପଟେ ଅଟକଥିବା ୫ଜଣ ସିବିଆଇ ଅଧିକାରୀଙ୍କୁ ଛାଡି ଦେଇଛି କୋଲକାତା ପୋଲିସ । ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି, ଗିରଫ ନେଇ ସିବିଆଇ ଅଫିସରଙ୍କ ପାଖରେ କିଛି ୱାରେଂଟ ଅର୍ଡର ନଥିଲା । ଏପରିକି ସେ ସମ୍ବନ୍ଧିତ କିଛି ପ୍ରମାଣପତ୍ର ବା ଦସ୍ତବିଜ୍ ଦେଖାଇ ପାରିନଥିଲେ ସିବିଆଇ ଅଧିକାରୀ । ଏହାପରେ ପୋଲିସ ଓ ସିବିଆଇ ମଧ୍ୟରେ ମୁହାଁମୁହିଁ ପରିସ୍ଥିିତି ସୃଷ୍ଟି ହେବାରୁ ୫ ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା କୋଲକାତା ପୋଲିସ । ସେପେଟେ ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସିବିଆଇ କାର୍ଯ୍ୟ କରିଛି । ଏବଂ ସିବିଆଇ ପାଖରେ କୋଲକାତା ପୋଲିସ କମିଶନରଙ୍କ ନାଁ ଯଥେଷ୍ଟ ପ୍ରମାଣ ରହିଛି । ତେବେ ତଥ୍ୟ ଓ ପ୍ରମାଣକୁ ସେ ନଷ୍ଟ କରିଛନ୍ତି ଏବଂ ତଦନ୍ତରେ ସହଯୋଗ କରୁନଥିବା ସିବିଆଇ ଅଭିଯୋଗ କରିଛି ।