ରୋଚକ ସ୍ଥିତିରେ ଭୁବନେଶ୍ୱର ଲୋକସଭା ଆସନ ! ପ୍ରଶାସିକା ବନାମ ପ୍ରଶାସକ, ବାମ ଦୁର୍ଗକୁ ଜୀବନ୍ୟାସ ଦେବେ କି ଜନାର୍ଦ୍ଦନ ?

321

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ଆସନ ପାଇଁ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି । ଜଣେ ପ୍ରଶାସିକାଙ୍କୁ ଟକ୍କର ଦେବେ ଆଉ ଜଣେ ପ୍ରଶାସକ । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଆଉ ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ଏକଦା ବାମପନ୍ଥୀଙ୍କ ଦବ୍ଦବା ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପୁଣି ବାମ ଦୁର୍ଗକୁ ଜୀବନ୍ୟାସ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜନାର୍ଦ୍ଦନ । ଏଠାରେ ଭୋଟର୍ ମାନେ ଏକ ନିଆରା ଲଢ଼େଇକୁ ଏଥର ଦେଖିବେ ଓ ଜଣଙ୍କୁ ବାଛିବେ।

ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଛନ୍ତି । ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ ଥର ଓ ସିପିଆଇ(ଏମ୍) ୩ ଥର ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଖାପାଖି ୨ ଲକ୍ଷ ଭୋଟ୍ରେ ବିଜୟୀ ହୋଇଥିଲେ । ସେହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସ ପ୍ରାର୍ଥୀ ଥିଲେ ଅଭିନେତା ବିଜୟ ମହାନ୍ତି । ଲଗାତର ୫ ଥର ଜିତିଥିଲେ ବି ପାଟ୍ଟଶାଣୀଙ୍କର ବିଧାୟକମାନଙ୍କ ସହିତ ସେତେଟା ଭଲ ସମ୍ପର୍କ ନ ଥିଲା । ଦଳୀୟ ସାଂସଦ ଭାବେ ବିଧାୟକମାନେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଥିଲେ ବି ତାହା କେବଳ ଉପର ଠାଉରିଆ ଥିଲା । ତେଣୁ ଏଠାରେ ଏଥର ପ୍ରାର୍ଥୀ ବଦଳିବେ ବୋଲି ବହୁ ଦିନରୁ ଆଲୋଚନା ଆରମ୍ଭ ହୋଇଥିଲା ।

ଭୁବନେଶ୍ୱର ପାଇଁ ଅରୁପଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ହଟାଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୦୧୪ରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ବିଜେପି ପ୍ରାର୍ଥୀ ପୃଥ୍ୱିରାଜ ହରିଚନ୍ଦନଙ୍କୁ ହରାଇ ବନିଥିଲେ ସାଂସଦ । ତେବେ ୨୦୧୯ରେ ପ୍ରସନ୍ନଙ୍କୁ ଟିକେଟ ମିଳିନାହିଁ । ଏପରିକି ନବୀନ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ଘୋଷଣା କରିସାରିଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେଡି ତରଫରୁ ଭୁବନେଶ୍ୱର ଲୋକସଭା ଆସନରେ ଲଢିବେ । ଅରୂପ ପଟ୍ଟନାୟକଙ୍କ ଜନ୍ମଭୂମି ଓଡ଼ିଶା । କର୍ମଭୂମି ମହାରାଷ୍ଟ୍ର । ମୁମ୍ବାଇର ପୁଲିସ୍ କମିସନର୍ ଭାବେ ଦେଶରେ ଚର୍ଚ୍ଚିତ ଥିଲେ ଏହି ଆଇପିଏସ୍ ଅଫିସର୍ । ଅବସର ପରେ ଜନ୍ମଭୂମିକୁ ଆସି ରାଜନୀତିରେ ପାଦ ଦେଇଛନ୍ତି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଭାବେ  । ଏବେ ରାଜନୀତିରେ ଅରୁପ କେତେ ସଫଳ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ସେପେଟ ପୂର୍ବରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପୂର୍ବରୁ ବାଛି ସାରିଛି । ଅପରାଜିତାଙ୍କ ଜନ୍ମସ୍ଥାନ ବିହାର। କର୍ମଭୂମି ଓଡ଼ିଶା। ବୋହୂ ବି ଓଡ଼ିଶାର। ବିଏମ୍ସି କମିସନର ଭାବେ ଚର୍ଚ୍ଚାରେ ଥିଲେ ଏହି ଆଇଏଏସ୍ ଅଫିସର୍। ଚାକିରି ୧୦ ବର୍ଷ ବାକି ଥିଲା। ସ୍ବେଚ୍ଛାକୃତ ଅବସର ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନର କମିଶନର ଥିବା ସମୟରେ ନିଜ କାମକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ ଅପରାଜିତା । ଏପରିକି ପଂଚାୟତିରାଜ ଏବଂ ଗଣଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବା ସମୟରେ ଶିକ୍ଷକମାନଙ୍କ ପାଇଁ ନେଇଥିବା କିଛି ପଦକ୍ଷେପକୁ ନେଇ ସାରା ଓଡିଶାରେ ପରିଚିତ ହୋଇଯାଇଥିଲେ ଅପରାଜିତା । ଏବେ ଭୁବନେଶ୍ୱରର ଗଳିକନ୍ଦି ବୁଲୁଛନ୍ତି ଅପରାଜିତା । ଭୁବନେଶ୍ୱର ଆସନରୁ ଜିତିବାକୁ ଲକ୍ଷ୍ୟ ରଖିଥିବା ଅପରାଜିତା ୨୦୧୯ ମୁକାବିଲା ପାଇଁ ପୁରା ଦମରେ ଲାଗି ପଡିଛନ୍ତି ।

କଂଗ୍ରେସ ଏଥର ଭୁବନେଶ୍ବରରେ ପ୍ରାର୍ଥୀ ଦେଉ ନାହିଁ । ବୁଝାମଣା ଭିତ୍ତିରେ ସିପିଆଇ(ଏମ୍)କୁ ଏହି ଆସନ ଛାଡ଼ି ଦେଇଛି । ସିପିଆଇ(ଏମ୍) ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜନାର୍ଦ୍ଦନ ପତି । ପୂର୍ବରୁ ୧୯୭୭, ୧୯୮୯ ଓ ୧୯୯୧ରେ ସିପିଆଇ(ଏମ୍) ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ ଭୁବନେଶ୍ବରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ତାହା ପରେ ସିପିଆଇ(ଏମ୍) ସାଂଗଠନିକ ସ୍ଥିତି ସେତେଟୋ ଆଖିଦୃଶିଆ ହୋଇ ରହିନାହିଁ । ତେବେ ଜନାର୍ଦ୍ଦନଙ୍କୁ କଂଗ୍ରେସ ସମର୍ଥନ ଦେଉଥିବାରୁ ସେ ବିଜେଡି ଓ ବିଜେପିକୁ କଡ଼ା ମୁକାବିଲା କରିବେ ବୋଲି ଆକଳନ କରାଯାଉଛି । ତେବେ ଏହି ଆସନକୁ ସବୁବେଳେ କବଜା କରିଆସିଥିବା ବିଜେଡି ୨୦୧୯ରେ କିପରି ନିର୍ବାଚନୀ ବୈତରଣୀ ପାର ହେଉଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି ।