ବିଜେଡିରୁ ଭୋଜି ଖାଆନ୍ତୁ, ବିଜେପିକୁ ଭୋଟ୍ ଦିଅନ୍ତୁ ! ଅରୁଣ ସିଂହଙ୍କ ବିବାଦୀୟ ଆହ୍ୱାନ

24

କନକ ବ୍ୟୁରୋ : ବିଜେଡିରୁ ଭୋଜି ଖାଆନ୍ତୁ, ହେଲେ ବିଜେପିକୁ ଭୋଟ୍ ଦିଅନ୍ତୁ । ଆଜି ଏଭଳି ଏକ ବିବାଦୀୟ ଆହ୍ୱାନ ଦେଇଛନ୍ତି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ବିଫଳ ହୋଇଥିବା ଅଭିଯୋଗ କରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୯ଟି ପ୍ରଶ୍ନ କରିଛନ୍ତି ।

କହିଛନ୍ତି, ସମସ୍ତଙ୍କୁ ରେସନ୍ କାର୍ଡ ମିଳିନାହିଁ କାହିଁକି? ୧୭ ବର୍ଷରେ ସବୁ ଗରିବ ଲୋକଙ୍କୁ ପକ୍କା ଘର ମିଳିଲା ନାହିଁ କାହିଁକି? ଓଡ଼ିଶାରେ ମାତ୍ର ୨ ପ୍ରତିଶତ ଲୋକଙ୍କୁ ପାଇପ୍ ଜଳ ମିଳୁଛି କାହିଁକି? ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଔଷଧ ନାହିଁ । ବିଜେପି ଶାସିତ ଛତିଶଗଡ଼ରେ ୨୪ ଘଂଟା ବିଜୁଳି ମିଳୁଥିବା ବେଳେ ଓଡ଼ିଶାରେ କାହିଁକି ମିଳୁନି? ବିଜେପି ଶାସିତ ଝାଡ଼ଖଣ୍ଡରେ ଲୋକଙ୍କୁ ୪ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଥିବା ବେଳେ ଓଡ଼ିଶା ଲୋକଙ୍କୁ ସେଭଳି ସ୍ୱାସ୍ଥ୍ୟବୀମା ମିଳୁନାହିଁ କାହିଁକି?

ପଂଚାୟତ ନିର୍ବାଚନରେ ବିଜେଡି କଳା ପଇସାରେ ଭୋଜି କରୁଛି- ଆପଣ ଭୋଜି ଖାଆନ୍ତୁ । ଭୋଜି ମାଗନ୍ତୁ । ମାତ୍ର କେବଳ ବିଜେପି ଓ ମୋଦିଙ୍କୁ ଭୋଟ୍ ଦିଅନ୍ତୁ । ନଚେତ୍ ସେମାନେ ପୁଣି ଆପଣମାନଙ୍କୁ ଲୁଟିବେ ।

ସେପଟେ ଅରୁଣ ସିଂହଙ୍କ ଏହି ବିବାଦୀୟ ବୟାନ ଉପରେ କଡ୍ଡା ଟିପ୍ପଣୀ ଦେଇଛି ବିଜେଡି । ମୁଖପାତ୍ର ଅମର ଶତପଥୀ କହିଛନ୍ତି ଏହା ସାଂଘାତିକ କଥା । ଲୋକଙ୍କ ଚରିତ୍ର ନଷ୍ଟ କଲା ଭଳି ବୟାନ ଦେବା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ । ସେ କେଜରିୱାଲଙ୍କ ଭଳି ଦଶା ଭୋଗିବେ ।