ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ :ବିଜେଡି ଏକାଉଂଟକୁ କେଉଁଠୁ ଆସିଲା ୮ କୋଟି ଟଙ୍କା । ବିରୋଧୀ ଏହାକୁ ପ୍ରସଙ୍ଗ କରି ବିଧାନସଭା ଚଳାଇ ଦେଉନଥିବାବେଳେ ସଫେଇ ରଖିଛନ୍ତି ଆଇନମନ୍ତ୍ରୀ ଅରୁଣ ସାହୁ । ବିରୋଧୀ ଦଳ ନେତା ଏ ସଂପର୍କରେ ଶାସକ ଦଳଠାରୁ ବିବୃତି ଦାବି କରୁଛନ୍ତି । ହେଲେ ଗୃହରେ ଉତର ନରଖି ଗଣମାଧ୍ୟମ ଆଗରେ ଟଙ୍କାର ବିବରଣୀ ଦେଇଛନ୍ତି ଅରୁଣ । ଆବଶ୍ୟକ କାଗଜପତ୍ର ଉପସ୍ଥାପନ କରି ଆଇନ ମନ୍ତ୍ରୀ କହିଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପ୍ ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ଏହି ୮ କୋଟି ଟଙ୍କା ବିଜେଡିକୁ ଏକାଉଂଟକୁ ପେ ଚେକରେ ଡୋନେଟ କରିଥିଲା । ୨୦୧୩ ମାର୍ଚ୍ଚ ୯ ତାରିଖରେ ଗ୍ରୁପ ଏହି ଟଙ୍କା ଏଚଡିଏଫସି ବ୍ୟାଙ୍କ ଚେକ୍ ନମ୍ବର ୧୦୪୦୩୦ରେ ଦାନ କରିଥିବା ସଂପର୍କିତ ନଥି ଉପସ୍ଥାପନ କରିଛନ୍ତି ଆଇନ ମନ୍ତ୍ରୀ । ୨୦ ହଜାରରୁ ଅଧିକ ଟଙ୍କାର ଡୋନେସନ ଗ୍ରହଣ କଲେ ନିର୍ବାଚନ କମିଶନଙ୍କୁ ଜଣାଇବାର ନିୟମ ରହିଥିବାରୁ ଏ ସଂପର୍କରେ ଦଳ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯାଇଥିବା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡି ଆକାଉଂଟରେ ୮ କୋଟି ଟଙ୍କା ଜମା ସଂପର୍କିତ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତର ଚାହିଁଥିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ ।