ଚାଷକୁ ନେଇ ରାଜନୀତି : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଅରୁଣ-ନରସିଂହ ମୁହାଁମୁହିଁ,କୃଷିମନ୍ତ୍ରୀଙ୍କ ଗଣିତ ଉପରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ

549

କନକ ବ୍ୟୁରୋ : ରାଜ୍ୟର ଚାଷୀକୂଳଙ୍କୁ ନେଇ ମୁହାଁମୁହିଁ ଅରୁଣ-ନରସିଂହ । ଗୃହରେ ଚାଷୀ ଆତ୍ମହତ୍ୟାକୁ ନେଇ ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଚାଷୀଙ୍କ ପାଇଁ ଉଭୟେ ଉଭୟଙ୍କୁ ଆକ୍ଷେପ କରିଛନ୍ତି । ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି । ପେଟକୁ ଦାନା ଯୋଗାଉଥିବା ଚାଷୀକୂଳଙ୍କ ସ୍ଥିତି ଏବେ ସଙ୍ଗୀନ । କେତେବେଳେ ନିଅଣ୍ଟିଆ ବର୍ଷା , ଆଉ କେତେବେଳେ ରୋଗପୋକ ଚାଷୀ ଉପରେ ଦାଉ ସାଧୁଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ଯୋଜନାମାନ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଆଜି ଗୃହରେ ପୁଣି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା । ବିରୋଧୀ କହୁଛନ୍ତି, ରାଜ୍ୟ ସରକାର ଗୃହରେ ସଠିକ ଉତ୍ତର ଦେଉନାହାନ୍ତି । ଅନ୍ୟପଟେ ଚାଷୀଙ୍କୁ ନେଇ ଅଯଥା ରାଜନୀତି କରାଯାଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।

କୃଷକଙ୍କ ପ୍ରତି ଯତ୍ନବାନ୍ ସରକାର । ଗୃହରେ କୃଷି ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଆଉ ଏକଥା ବାରମ୍ବାର ଗୃହରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୃଷି ଯନ୍ତ୍ରପାତିରେ ୫୦ ପ୍ରତିଶତ ସବସିଡ଼୍ ଯୋଗାଇ ଦିଆଯାଉଛି । କେବଳ ଏତିକି ନୁହେଁ ସାର, ବିହନ ଆଦିରେ ମଧ୍ୟ ସବସିଡ଼ି ପ୍ରଦାନ କରାଯାଉଛି । କୃଷକମାନେ କିପରି ଆଧୁନିକ ଜ୍ଞାନକୌଶଳ ଆପଣାଇପାରିବେ ସେଥିପାଇଁ କୃଷିମେଳା, କୃଷି ମହୋତ୍ସୋବର ଆୟୋଜନ କରାଯାଉଛି । ଚାଷୀ କୂଳ ପାଇଁ କାଳିଆ ପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଚାଷୀ ଆତ୍ମହତ୍ୟାର କାରଣ ମଧ୍ୟ ଖୋଜାଚାଲିଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଉଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ସବିଶେଷ ବିବରଣୀ ରଖାଯାଇଛି । ଚାଷ ଓ ଚାଷୀଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇସାରିଛି । ତଥାପି ଦୁର୍ଭାଗ୍ୟବଶତଃ ଚାଷୀକୂଳଙ୍କୁ ନେଇ ଅଯଥା ରାଜନୀତି କରାଯାଉଛି । ବିରୋଧୀଙ୍କୁ ଆକ୍ଷେପ କରି କୃଷିମନ୍ତ୍ରୀ କହିଛନ୍ତି, ଚାଷୀକୂଳ ଅଘଟଣର ଶିକାର ହୁଅନ୍ତୁ ।

ସେପଟେ ଏପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଚାଷୀ ଆତ୍ମହତ୍ୟା କରିଥିବା କଥା ଗୃହରେ ନିଦ୍ଦିଷ୍ଟ ଭାବେ କିଛି ତଥ୍ୟ ଦିଆଯାଇନାହିଁ । ଚାଷୀ ଆତ୍ମହତ୍ୟା ରିପୋର୍ଟ ଗୃହରେ ଉପସ୍ଥାପନ ହେବା ଜରୁରୀ । ଚାଷୀ ଆତ୍ମହତ୍ୟା କରିଛନ୍ତି, ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କର ଲିଖିତ ଭାଷଣଣେ ପଢ଼ିନାହାନ୍ତି । ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ନରସିଂହ ମିଶ୍ର କହିଛନ୍ତି, ମାନ୍ୟବର ମନ୍ତ୍ରୀଙ୍କ ପ୍ରତି ଦୟା ଆସୁଛି । ଶାସକ ଦଳର ରାଜ୍ୟସଭା ସାଂସଦ, ସଂସଦରେ  ଚାଷୀ ଆତ୍ମହତ୍ୟା କଥା ସ୍ୱୀକାର କରିଛନ୍ତି, କିନ୍ତୁ ମନ୍ତ୍ରୀ ମାନିବାକୁ ନାରାଜ । ମନ୍ତ୍ରୀଙ୍କ ଗଣିତ ଠିକ ନାହିଁ । ଚାଷୀ ପ୍ରସଙ୍ଗରେ ମନ୍ତ୍ରୀ ସଠିକ ଉତ୍ତର ଦେଇପାରୁ ନାହାନ୍ତି ।

ଅନ୍ୟପଟେ ଚାଷୀ ଆତ୍ମହତ୍ୟା ପାଇଁ କେନ୍ଦ୍ରକୁ ବି ଦାୟୀ କରିଛନ୍ତି ନରସିଂହ ମିଶ୍ର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଦାୟୀ । ରାଜ୍ୟ ସରକାରଙ୍କ ଅନୁସାରେ ଗୋଟିଏ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ୨୪ ଶହରୁ ଉଦ୍ଧ୍ୱ ଟଙ୍କା ଦରକାର । ହେଲେ କେନ୍ଦ୍ର ସକରାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରଖିଛନ୍ତି ୧୮୩୦ । ଚାଷୀ କ୍ଷତି ସହୁଛି । ଚାଷୀଙ୍କ କ୍ଷତି ଭରଣା କରିବାର କୌଣସି ବିକଳ୍ପ ନାହିଁ ।