ବିଜେଡି ଆକାଉଂଟରେ ଚିଟଫଣ୍ଡ ଟଙ୍କା ଜମା ପ୍ରସଙ୍ଗ : ଗୃହରେ ଆଇନ୍ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଦଳ ନେତା ଆଣିଥିବା ବିଜେଡି ଆକାଉଂଟ ଅଭିଯୋଗରେ ଗୃହର ମଧ୍ୟଭାଗରେ ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗତକାଲି ରାଇଟରଙ୍କ ଟେବୁଲ ଉପରେ ଚଢି ହଟଗୋଳ କରୁଥିବା ବେଳେ , ଆଜି ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିଯାଇଥିଲେ । ଫଳରେ ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ସତ୍ୱେ ବିଜେଡି ଆକାଉଂଟ ପ୍ରସଙ୍ଗରେ ବିବୃତି ରଖିଛନ୍ତି ଆଇନ୍ ମନ୍ତ୍ରୀ ଅରୁଣ ସାହୁ । କହିଲେ, ବାର୍ଦ୍ଧକ୍ୟ ଜନିତ ଦୃଷ୍ଟି କୋଣରୁ ବିରୋଧୀ ଦଳ ନେତାଙ୍କର ମତିଭ୍ରମ ହୋଇଛି । ନରସିଂହ ମିଶ୍ର ଗୃହରେ ବିଜେଡି ଆକାଉଂଟ ପ୍ରସଙ୍ଗର ଆଣିଥିବା ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ । ବିରୋଧୀ ଦଳ ଗୃହରେ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଓଡିଶାବାସୀଙ୍କୁ ଓ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଅରୁଣ ଅଭିଯୋଗ କରିଛନ୍ତି । ଏହା ବିରୋଧୀ ଦଳ ନେତାଙ୍କ ଗହିର୍ତ ଅପରାଧ । ନରସିଂହ ମିଶ୍ର କହୁଥିବା ପୂଣ୍ଣଚନ୍ଦ୍ର ପାଢୀ ହେଉଛନ୍ତି ଗଂଜାମ ଜିଲ୍ଲାର ବିଜେଡିର କର୍ମୀ । ଏହାସହ ସେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ବିରୋଧୀ ଦଳ ବାରମ୍ବାର ଏଭଳି ତଥ୍ୟ ବିହିନ ପ୍ରସଙ୍ଗ ଉଠାଇ ଗୃଗରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାରେ ଚଳନ୍ତା କାରରେ ମହିଳାଙ୍କୁ ଦୁଷ୍କର୍ମ ଓ ତାରା ବାହିନୀ ପତିଙ୍କୁ ନୋଟିସ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ ବିରୋଧ । ଯାହାକୁ ନେଇ ବିରୋଧୀ ଦଳ ନେତା ଗୃହରେ କ୍ଷମା ପ୍ରର୍ଥନା କରିଥିଲେ । ୨୦୦୦-୧୪ ଭିତରେ ଜେନେରାଲ ଇଲେକସନ୍ ଟ୍ରଷ୍ଟ ପକ୍ଷରୁ କଂଗ୍ରେସ ଦଳକୁ ୧୦୦ କୋଟିର ଚାନ୍ଦା ମିଳିଥିବା ବେଳେ ବିଜେପି କୁ ୭୦ କୋଟି ଓ ବିଜେଡିକୁ ମିଳିଛି ୧୩ କୋଟି । ବିଜେଡି ନିର୍ବାଚନ କମିସନଙ୍କ ପାଖରେ ଏହି ଟଙ୍କାର ଖର୍ଚ ତାଲିକା ଦାଖଲ କରିଛି, ନୀୟମିତ ଆୟକର ତଥ୍ୟ ଦାଖଲ କରୁଛି । ତେବେ ବିଜେଡି ଆକାଉଂଟ୍ ବାବଦରେ ତଥ୍ୟ ବିହିନ ଅଭିଯୋଗ ଆଣିଥିବାରୁ ବିରୋଧି ଦଳ ନେତା  କ୍ଷମା ପ୍ରାର୍ଥନା କରନ୍ତୁ ବୋଲି  ମନ୍ତ୍ରୀ ଅରୁଣ ସାହୁ ଦାବି କରିଛନ୍ତି ।

ସେପଟେ ଗୃହରେ ଉତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ ମୁଖ୍ୟମନ୍ତ୍ରୀଙ୍କୁ କିଛି ନିଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଉତର ରଖୁନାହାନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସେପଟେ ଚିଟଫଣ୍ଡ ପ୍ରସଙ୍ଗରେ ଗୃହରେ  ୫  ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଆସୁଛି ବିଜେପି । ତେବେ ବାଚସ୍ପତି ଏନେଇ ରୁଲିଂ ନେଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି  ବିଧାୟକ ପ୍ରଦୀପ ପୁରୋହିତ । ଅନ୍ୟପଟେ ଶାସକ ଦଳ କହିଛି ବିରୋଧୀ ଦଳ ନେତା ବାରମ୍ବାର ଗୃହରେ ଭୁଲ ତଥ୍ୟ ଦେଉଛନ୍ତି । ସେ କ୍ଷମା ନମାଗିବା ଯାଏଁ ତାଙ୍କୁ ଗୃହରେ କହିବାର ଅଧିକାର ଦିଆଯିବ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଜେନା ।