ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇବା ନେଇ କୌଣସି ଯୋଜନା ନାହିଁ ! ସ୍ପଷ୍ଟ କଲେ ଅରୁଣ ଜେଟଲୀ

26

କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇବା ନେଇ କୌଣସି ଯୋଜନା ନାହିଁ ବୋଲି କହିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । କେନ୍ଦ୍ରରେ ମୋଦି ସରକାରଙ୍କ କାର୍ଯ୍ୟକାଳ ୨୦୧୯ରେ ଶେଷ ହେଉଛି ଏବଂ ସରକାର ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଇବାକୁ ଚାହିଁବେ ବୋଲି ଜେଟଲୀ କହିଛନ୍ତି । ସଂସଦର ବଜେଟ ଅଧିବେଶନକୁ ସମ୍ବୋଧିତ କରି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇବା ଭଲ ବୋଲି କହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସେହିପରି ମୋଦି ସରକାର ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ହେଲେ ଏହାକୁ ଜେଟଲୀ ଅସ୍ୱୀକାର କରିବା ସହ ଯେକୌଣସି ସମୟରେ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି । ଆଗୁଆ ନିର୍ବାଚନ ସମ୍ଭାବନା ନେଇ କଂଗ୍ରେସ ତାର ରଣନୀତିକୁ ମଧ୍ୟ ଜୋରଦାର କରିଦେଇଛି । ବିଜେପି ପରି ସାଂପ୍ରଦାୟିକ ଶକ୍ତିକୁ ରୋକିବା ପାଇଁ ସମଭାବାପନ୍ନ ବିରୋଧୀ ଦଳଗୁଡିକ ଏକାଠି ହେବାକୁ କିଛିଦିନ ତଳେ ଆହ୍ୱାନ ଦେଇଥିଲେ ସୋନିଆ ଗାନ୍ଧି । ହେଲେ କେତେକ ଉପନିର୍ବାଚନରେ କଂଗ୍ରେସର ସଫଳତା ପରେ ଦଳ ତାର ସାଂଗଠନିକ ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛି ।