ଗ୍ରାହକଙ୍କୁ ମିଳିଲା ବଡ ଆଶ୍ୱସ୍ତି ! ପେଟ୍ରୋଲ ଓ ଡିଜେଲ ଦର କମାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା କମିଲା ଦର ।

46

କନକ ବ୍ୟୁରୋ : କମିବ ତୈଳ ଦର । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିରୁ ଆଶ୍ୱସ୍ତି ପାଇବେ ଗ୍ରାହକ । ତେଲ ଦରକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲର ଦର ଅହେତୁକ ଭାବେ ହୁ ହୁ ହୋଇ ବଢୁଥିବା ବେଳେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ପେଟ୍ରୋଲ ଓ ଡିଜେଲର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ସହ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ୫୦ ପଇସା ହ୍ରାସ କରିବାକୁ ଅପିଲ କରିଛନ୍ତି ଅରୁଣ ଜେଟଲୀ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଉପରେ ୧ ଟଙ୍କା ୫୦ ପଇସା କାଟିବାକୁ ଘୋଷଣା କରିଥିବା ବେଳେ ବିଭିନ୍ନ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଲେଖାଏଁ ଦର ହ୍ରାସ କରିବେ ।

ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ବାବଦରେ ଅଧିକ ଟଙ୍କା ପାଉଥିବାରୁ ତେଲ ଦର ହ୍ରାସ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଯଦି କେନ୍ଦ୍ର ସରକାରଙ୍କର ଏହି ଅପିଲକୁ ରାଜ୍ୟ ସରକାର ମାନିନିଅନ୍ତି, ତେବେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା କମରେ ପାଇପାରିବେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ନିର୍ବାଚନକୁ ଆଖିଆଗରେ ରଖି ତେଲ ଦରକୁ କମ କରାଯାଉଛି । ରାଜନୈତିକ ଚାପ ପଡିବାରୁ କେନ୍ଦ୍ର ସରକାର ତେଲ ଦର କମାଇବାକୁ ବାଧ୍ୟ ହୋଇଥିବା କଂଗ୍ରେସ କହିଛି ।