୬୬ ବର୍ଷରେ ଆଖି ବୁଜିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ । ଦିଲ୍ଲୀର ନିଗମବୋଧ ଘାଟରେ ଆଜି ହେବ ଅନ୍ତିମ ସଂସ୍କାର

77

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି। ଦିଲ୍ଳୀ ଏମ୍ସ ପକ୍ଷରୁ ଜାରି ବୁଲେଟିନରେ ସୂୂଚନା ଦିଆଯାଇଥିଲା ମଧ୍ୟାହ୍ନ ୧୨ଟା ୭ ମିନିଟରେ ଜେଟଲୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଗତ ୯ ତାରିଖରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା।

ଜେଟଲୀଙ୍କ ମରଶରୀରକୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ତାଙ୍କର କୈଳାସ କଲୋନି ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଅପରାହ୍ନ ୨ଟା ୩୦ରେ ନିଗମ ବୋଧଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଜେଟଲୀଙ୍କ ମରଶରୀର ବିଜେପି ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ରହିବ। ଜଣାଶୁଣା ଓକିଲ ରୂପେ ପରିଚିତ ଜେଟଲୀ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ବାଜପେୟୀ ସରକାରରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ ମଧ୍ୟ ମୋଦୀ ସରକାରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ସେ ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଦାୟିତ୍ବ ତୁଲାଇଥିଲେ।

୨୦୧୪ରେ ସେ ଲୋକସଭା ନିର୍ବାଚନ ହାରିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଅସୁସ୍ଥତା ଯୋଗୁଁ ପ୍ରତିଦ୍ବନ୍ଦ୍ବିତା କରିନଥିଲେ। ଏହି କାରଣରୁ ସେ ସରକାରରେ ଯୋଗ ଦେବାକୁ ମଧ୍ୟ ମନା କରିଦେଇଥିଲେ। କେବଳ ବିଜେପିରେ ନୁହେଁ, ଅନ୍ୟ ଦଳରେ ମଧ୍ୟ ତାଙ୍କର ଲୋକପ୍ରିୟତା ଥିଲା। ସେ ପ୍ରାୟ ସବୁ ଦଳର ନେତାମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରଖିଥିଲେ। ସବୁ ଦଳର ନେତାମାନଙ୍କ ସହିତ ଉତ୍ତମ ସଂପର୍କ ଯୋଗୁଁ ଅନେକ ସମୟରେ ସରକାର ସମ୍ମୁଖୀନ ହୋଇଥିବା ସଙ୍କଟକୁ ଟାଳିବାରେ ସେ ସହାୟତା କରିଥିଲେ। ଏଥିପାଇଁ ତାଙ୍କୁ ‘ଟ୍ରବୁଲସୁଟର’ ବୋଲି କୁହାଯାଉଥିଲା।