ବ୍ୟାଙ୍କ ମିଶ୍ରଣ ଯୋଜନାରେ ମୋହର

33

କନକ ବ୍ୟୁରୋ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଯୋଜନାକୁ ଆଗକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ମିଶ୍ରଣ ଯୋଜନାକୁ ବୁଧବାର କ୍ୟାବିନେଟ୍ କମିଟିରେ ମଞ୍ଜୁର କରାଯାଇଛି । ବ୍ୟାଙ୍କ ମିଶ୍ରଣ ଯୋଜନାକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ସରକାର ପ୍ରଥମେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବେ । ଉକ୍ତ କମିଟି ବ୍ୟାଙ୍କ ମିଶ୍ରଣ ପଦ୍ଧତି ଧାର୍ଯ୍ୟ କରିବ । କେଉଁ ଆଧାରରେ ବ୍ୟାଙ୍କ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବ ତାହାର ଦେଖାଶୁଣା କରିବ କମିଟି ।

ଦେଶରେ ଏବେ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି । ସେଗୁଡ଼ିକୁ ପରସ୍ପର ସହିତ ମିଶାଇ ୧୦-୧୨ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ ସରକାରଙ୍କ ଯୋଜନା ରହିଛି । ମନ୍ତ୍ରୀ ସ୍ତରୀୟ କମିଟି ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋନୀତ କରିବେ । କମିଟି ବ୍ୟାଙ୍କ ମିଶ୍ରଣ ନେଇ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରିବ ।

ମିଶ୍ରଣକୁ ନେଇ ଆଗ୍ରହୀ ଥିବା ବ୍ୟାଙ୍କଗୁଡ଼ିକୁ ନିଜ ଆଡୁ ପ୍ରସ୍ତାବ ଦେବାକୁ ପଡ଼ିବ । ସେମାନେ ମନ୍ତ୍ରୀ ସ୍ତରୀୟ କମିଟିକୁ ନିଜର ଆଗ୍ରହ ବିଷୟରେ ଅବଗତ କରିବେ । କମିଟିଠାରୁ ନୀତିଗତ ମଞ୍ଜୁରି ହାସଲ କରିବାକୁ ପଡ଼ିବ । ଏହା ପରେ ଅନ୍ୟାନ୍ୟ ନିୟାମକ ମଞ୍ଜୁରି ହାସଲ କରିବା ପାଇଁ ମିଶ୍ରଣରେ ଭାଗ ନେବାକୁ ଥିବା ବ୍ୟାଙ୍କମାନେ ପଦକ୍ଷେପ ଗ୍ରହଣ କରିବେ । ବ୍ୟାଙ୍କ ମିଶ୍ରଣ ସମ୍ପୂର୍ଣ୍ଣ ରୂପେ ବ୍ୟବସାୟିକ ପଦକ୍ଷେପ ହେବ । ବ୍ୟାଙ୍କର ବୋର୍ଡ ପକ୍ଷରୁ ମିଶ୍ରଣ ପ୍ରସ୍ତାବ ଦିଆଯିବ ।

ସୂଚନା ମୁତାବକ, ବୁଧବାରର କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେ, ବ୍ୟାଙ୍କ ମିଶ୍ରଣ ଫଳାଫଳ ଆମ ପାଇଁ ଭଲ ରହିଛି । ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶରେ ସୁଦୃଢ଼ ବ୍ୟାଙ୍କ ବ୍ୟବସ୍ଥା ଗଠନ କରିବା । ଦେଶରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେଲେ ଅନେକ ଲାଭ ହେବ । ବ୍ୟାଙ୍କଗୁଡ଼ିକର ସବୁଠୁ ବଡ଼ ସମସ୍ୟା ଏନପିଏ ପରିଚାଳନା କରିବା ସହଜ ହେବ ।

ବଡ଼ ବ୍ୟାଙ୍କ ସହଜରେ ପରିଚାଳନା ଦକ୍ଷତା ହାସଲ କରିପାରିବ ଏବଂ ବିପଦ ମାତ୍ରାକୁ ସହଜରେ ପରିଚାଳନା କରିପାରିବ । ଚଳିତ ବର୍ଷ ଏପ୍ରିଲରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ସହିତ ଏହାର ସହଯୋଗୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ହୋଇଥିଲା । ଉକ୍ତ ମିଶ୍ରଣ ପ୍ରକ୍ରିୟା ବେଶ ସୁରୁଖୁରୁରେ ହେବା ସହ ସଫଳ ମଧ୍ୟ ହୋଇଛି । ସେଥିରେ ଉତ୍ସାହିତ ହୋଇ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଅଧିକ ମିଶ୍ରଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

କେଉଁ କେଉଁ ବ୍ୟାଙ୍କ ମିଶ୍ରଣ ପାଇଁ ଆଗ୍ରହୀ ତାହାର ସ୍ପଷ୍ଟ ଚିତ୍ର ମିଳିନାହିଁ । ତେବେ ଚର୍ଚ୍ଚା ହେଉଛି ଯେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ଭଳି ବଡ଼ ବ୍ୟାଙ୍କ ଅନ୍ୟ ଛୋଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅଧିଗ୍ରହଣ କରିପାରନ୍ତି । ମିଶ୍ରଣ ପ୍ରକ୍ରିୟାରେ ଏସବିଆଇ ମଧ୍ୟ ସାମିଲ ହୋଇପାରେ । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣକୁ ଦେଶର ଅର୍ଥନୀତିଜ୍ଞ ଏବଂ ବଜାର ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି । ଏହା ଏକ ଭଲ ପଦକ୍ଷେପ ବୋଲି ସେମାନେ କହିଛନ୍ତି ।