ଭାରତ-ପାକିସ୍ତାନ ଅଶାନ୍ତି ଭିତରେ ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ୍ ! ପାକ୍ ବିରୋଧରେ ଜେଟଲି ବଜାଇଲେ ସତର୍କ ଘଣ୍ଟି ।

407

କନକ ବ୍ୟୁରୋ : ଭାରତ-ପାକିସ୍ତାନ ସୀମା ଲାଇନ ଅଫ କଂଟ୍ରୋଲରେ ଉତ୍ତେଜନା ଲାଗିରହିଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆସିଛି ବଡ ବୟାନ । ଜେଟଲୀ କହିଛନ୍ତି ଯଦି ଆମେରିକା ପାକିସ୍ତାନର ଆବୋଟାବାଦରେ ଓସାମା ବିନ ଲାଡେନକୁ ମାରିପାରେ ତେବେ ଭାରତ ପକ୍ଷରେ ବି ସବୁକିଛି ସମ୍ଭବ । ଅର୍ଥମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଝଡ ସୃଷ୍ଟି ହୋଇଛି । ଭାରତ-ପାକିସ୍ତାନ ଉଭୟ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ ଚାଲିଥିବା ବେଳେ ଜେଟଲୀଙ୍କ ଏହି ବୟାନ, ଭାରତର ଆକ୍ରମଣାତ୍ମକ ମନଭାବକୁ ପରିପ୍ରକାଶ କରିଛି ।

୨୦୧୧ ମେ ୨ ତାରିଖ । ପାକିସ୍ତାନର ଆବୋଟାବାଦରେ ଚାଲିଥିଲା ଆମେରିକା ନ୍ୟାଭି ସିଲ କମାଣ୍ଡୋଙ୍କ ଅପରେସନ । ଆଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ଧରିବା ପାଇଁ ଏହି ଅପରେସନ୍ କରିଥିଲା ଆମେରିକା । ସାରା ବିଶ୍ୱକୁ ଚକିତ କରି କିଛି ଘଂଟାର ଅପରେସନରେ ଲାଡେନକୁ କବଜାକୁ ନେଇଥିଲା ଆମେରିକା । ଜୀବନରେ ମାରିଦିଆଯାଇଥିଲା ଲାଡେନକୁ ।

୨୦୧୯ ଫେବ୍ରୁଆରୀ ୨୭ । ୮ବର୍ଷ ପରେ ଜେଟଲୀଙ୍କ ବଡ ବୟାନ । ଯଦି ଆମେରିକା ପାକିସ୍ତାନରୁ ଆବୋଟାବାଦରୁ ଲାଡେନକୁ ଧରିପାରୁଛି ତେବେ ଭାରତ ପାଇଁ ସବୁ କିଛି ସମ୍ଭବ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏହି ବୟାନ ସେତେବେଳେ ଆସିଛି, ଯେତେବେଳେ ସୀମାରେ ଜଳୁଛି ପ୍ରତିଶୋଧର ନିଆଁ । ଆକାଶମାର୍ଗରେ ଚାଲିଛି ଲଢେଇ । ପରସ୍ପରର ଯୁଦ୍ଧ ବିମାନକୁ ଟାର୍ଗେଟ୍ କରାଯାଉଛି । ଲାଇନ୍ ଅଫ କଂଟ୍ରୋଲରେ ଏପରି ଏକ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଥିବା ଜେଟଲୀଙ୍କ ଏହି ବୟାନ ବେଶ ଗୁରୁତ୍ୱବହନ କରୁଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ପାକିସ୍ତାନର ଆବୋଟାବାଦରୁ ଓସାମାବିନ୍ ଲାଦେନକୁ ମାରି ନିଜ ସହିତ ନେବାରେ ସଫଳ ହୋଇଥିଲା ଆମେରିକା । ତେବେ ଏଭଳି ସ୍ଥିତିରେ ଭାରତ ପାଇଁ ସବୁକିଛି ସମ୍ଭବ । ଯାହା କଳ୍ପନା ପରି ଲାଗୁଥିଲା ଆଜି ତାହା ସମ୍ଭବ ବୋଲି କହିଛନ୍ତି ଜେଟଲୀ ।

ମଙ୍ଗଳବାର ପାକିସ୍ତାନର ବାଲାକୋଟରେ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇ ଆତଙ୍କବାଦୀ ସଂଗଠନ ଜୈଶ-ଇ -ମହମ୍ମଦର ଶିବିରକୁ ଧ୍ୱସ୍ତ କରାଯାଇଥିଲା । ଯେଉଁଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପାକିସ୍ତାନ ଏହାକୁ ଅସ୍ୱିକାର କରିଥିବା ବେଳେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଛି ଏକ ପ୍ରକାର ଯୁଦ୍ଧ ପରିସ୍ଥିତି । ଆତଙ୍କବାଦ ବିରୋଧରେ ଭାରତର ଏହି ଲଢେଇକୁ ବିଶ୍ୱ ସମୁଦାୟର ସମର୍ଥନ ମିଳିଛି । ଆଉ ଏହାରି ଭିତରେ ଜେଟଲୀଙ୍କ ବୟାନ ଝଡ ସୃଷ୍ଟି କରିଛି ।