ସୋନା ମହାପାତ୍ରଙ୍କୁ ପରାମର୍ଶ ଦେଲେ କ୍ରାଇମବ୍ରାଂଚ ଆଇଜି : ଟ୍ୱିଟ୍ କରି ଲେଖିଲେ, ଅଣଓଡିଆ ହୋଇ ବି ପାଇଛନ୍ତି ଓଡିଶାବାସୀଙ୍କ ଭଲପାଇବା

46

କନକ ବ୍ୟୁରୋ : ସୋନା ମହାପାତ୍ରଙ୍କୁ ବରିଷ୍ଠ ପୋଲିସ ଅଫିସର ଅରୁଣ ବୋଥ୍ରାଙ୍କ ପରାମର୍ଶ ଆଜି ଚାରିଆଡେ ଚର୍ଚ୍ଚାର ଖୋରାକ ଯୋଗାଇଛି । କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା ଟ୍ୱିଟ କରି ପ୍ରଶ୍ନ କରିିଛନ୍ତି, ସାରା ଓଡିଶା ନକାରାତ୍ମକ କିପରି ହୋଇଗଲା । ସୋନାଙ୍କ ଏକ ଟ୍ୱିଟ୍ ପରେ ଅରୁଣ ବୋଥ୍ରା ଏହି ଟ୍ୱିଟ୍ କରିଥିଲେ । ସୋନା ମହାପାତ୍ର ତାଙ୍କ ଟ୍ୱିଟରେ କହିଥିଲେ, ମୋ ରାଜ୍ୟ ଓଡିଶାରେ ନକାରାତ୍ମକ ଭାବନାକୁ ପଛରେ ଛାଡି ପାରିସ ଯାଉଛି । ଏହି ଟ୍ୱିଟ୍ ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ବୋଥ୍ରା ।

ସେ କହିଛନ୍ତି ଏହା ଅତି ପିଲାଳିଆମି । କିଛି ଲୋକ ତୁମ ଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି କ’ଣ ସାର ।ଓଡିଶା ନକାରାତ୍ମକ ହୋଇଯିବ? ଜଣେ ଅଣଓଡିଆ ହୋଇ ମୋତେ ଏଠି ଅନେକ ଭଲପାଇବା ଓ ସ୍ନେହ ମିଳୁଛି । ଆଉ ଜଣେ ଓଡିଆ ହୋଇ ସାମାନ୍ୟ ସମାଲୋଚନାରେ ତମେ ସମସ୍ତଙ୍କୁ ନକାରାତ୍ମକ ସଜେଇ ଦେଉଛ? ଆମେ ଯେଉଁମାନେ ତମକୁ ସମର୍ଥନ କରିଥିଲୁ ସେମାନଙ୍କ କଥା ଥରେ ଚିନ୍ତା କର ।

ଓଡିଶା ପୋଲିସର ଜଣେ ଦକ୍ଷ ଅଣ ଓଡିଆ ଅଫିସର ଅରୁଣ ବୋଥ୍ରା, ଗାୟିକା ସୋନା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏଭଳି ଟିପ୍ପଣୀ କରିଛନ୍ତି । ସୋସିଆଲ ମିଡିଆରେ ସବୁ ସମାଲୋଚନାର ଜବାବ ରଖୁଥିବା ସୋନା ମହାପାତ୍ରଙ୍କୁ ସେହି ସୋସିଆଲ ମିଡିଆରେ ହିଁ ଜବାବ ଦେଇଛନ୍ତି କ୍ରାଇମବ୍ରାଂଚ ଆଇଜି । ଆହେ ନୀଳ ଶଇଳକୁ ବିକୃତ କରି ଗାଇବା ପରେ ସବୁ ମହଲରୁ ସୋନାଙ୍କୁ ସମାଲୋଚନା କରାଯାଉଛି, ଯେଉଁଥିପାଇଁ ସେ ଓଡିଶାକୁ ଅପମାନିତ କଲାଭଳି ପ୍ରତିକ୍ରିୟା ରଖୁଛନ୍ତି ।

ସୋନା ମହାପାତ୍ର ଟ୍ୱିଟ୍ କରି ଲେଖିଥିଲେ ପ୍ୟାରିସରେ ଦି ମ୍ୟୁଜିକ ଫେଷ୍ଟିଭାଲରେ ଯୋଗଦେବା ପାଇଁ ମୁଁ ଯାଉଛି । ସେଠାରେ ମୁଁ ଉତ୍ସାହୀ ଲୋକମାନଙ୍କୁ ଭେଟିବି । ଭାରତକୁ ପ୍ରତିନିଧିତ୍ୱ କରିବି । ପଛରେ ଛାଡି ଯାଉଛି ମୋ ରାଜ୍ୟ ଓଡିଶାର ସବୁ ନକାରାତ୍ମକ ଭାବନା ଏବଂ ସେଠାରେ ମୋ ଦେଶର ଏକ ବ୍ୟାପକ ଦୃଷ୍ଟିଭଙ୍ଗୀ ରଖିବି । ଏପରି ଢ଼ଙ୍ଗରେ ପ୍ୟାରିସ ଯିବା ପୂର୍ବରୁ ଟ୍ୱିଟ୍ କରିଥିଲେ ସୋନା ମହାପାତ୍ର ।

ଏହା ବ୍ୟତୀତ ସେ ପୂର୍ବରୁ ଆଉ ଏକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଗୀତ ଗାଇଲା ବେଳେ ଓଡିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା କମର ପଟି ଓ ଫିଲିଗ୍ରୀ ଅଳଙ୍କରା ପିନ୍ଧିଥିବା କଥା କହିଥିଲେ ଏବଂ ଓଡିଶା ବାହାରେ ଏଗୁଡିକ ପ୍ରଚାର କରୁଥିବା ଜଣାଇଥିଲେ । ସୋନାଙ୍କ ଏହି ସଫେଇ ପରେ ପରିବେଶବିତ ବିଶ୍ୱଜିତ ମହାନ୍ତି ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଓଡିଶାରେ ଫିଲିଗ୍ରୀ ବା ତାରକସି କାମ କେବେ ଲୋପ ପାଇଲା? ଯାହାର ଜବାବ କିଛି ଏଭଳି ଢଙ୍ଗରେ ରଖିଛନ୍ତି ସୋନା ମହାପାତ୍ର ।

ପରିସଂଖ୍ୟାନ ଦେଖ ନୂଆ ପୀଢିର କେତେଜଣ ସେମାନଙ୍କ ବାପା, ଜେଜେବାପାଙ୍କଠୁ ଏହି କଳା ଶିଖୁଛନ୍ତି? ଏହି କଳାକୁ ବଂଚାଇ ରଖିଥିବା କେତୋଟି ପରିବାର ଅଛନ୍ତି? ଗତ ୧୦ବର୍ଷ ସହିତ ତୁଳନା କଲେ କେତେଜଣ ଏଭଳି କଳାକାର ଅଛନ୍ତି?