ଯାତ୍ରା ପେଣ୍ଡାଲରୁ ହସ୍ପିଟାଲ ! ହିଞ୍ଜଳିରେ ଯାତ୍ରା ଅଭିନେତା ଓ ଅଭିନେତ୍ରୀଙ୍କୁ ଛୁରା ମାଡ, ଫେସବୁକରେ ଫଟୋ ପୋଷ୍ଟକୁ ନେଇ ବିବାଦ

37

କନକ ବ୍ୟୁରୋ : ଯାତ୍ରା ପେଣ୍ଡାଲରୁ ହସପିଟାଲ ବେଡ୍ । ରାତିରେ ସଂଗୀତର ତାଳେ ତାଳେ ଚାଲିଥିଲା ଡ୍ୟାନ୍ସ, ସକାଳୁ ମାରପିଟ୍ ଓ ଛୁରାମାଡ଼ । ଏଭଳି ଅଭାବନୀୟ ଘଟଣା ଘଟିଛି ହିଂଜିଳିରେ । ପାର୍ବତୀ ଗଣନାଟ୍ୟର ଜଣେ କଳାକାରଙ୍କ ଛୁରାମାଡରେ ଆହତ ହୋଇଛନ୍ତି କଳାକାର ଦମ୍ପତି ।

ଶନିବାର ରାତିରେ ଗଂଜାମର ହିଂଜିଳିରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ପରିବେଷଣ ହୋଇଥିଲା ରେକର୍ଡ ଡ୍ୟାନ୍ସ । ଗୋଟିଏ ପଟେ ହିନ୍ଦି ଗୀତର ତାଳେ ତାଳେ ଦୁଇ ଯାତ୍ରା କପଲ୍ଙ୍କ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ହେଲେ ଅନ୍ୟପଟେ ସକାଳେ ଜଣେ କଳାକାରଙ୍କୁ ଆଉ ଜଣେ କଳାକାରଙ୍କ ମରଣାନ୍ତକ ଅକ୍ରମଣ । ରାତିରେ ହାତରେ ହାତ ଛନ୍ଦି, ପାଦରେ ପାଦ ମିଶାଇ ନାଚୁଥିଲେ କଳାକାର, ସକାଳେ ଘଟିଥିଲା ଛୁରାମାଡ । ଏଭଳି ଅଭାବନୀୟ ଘଟଣା ହିଂଜିଳିରେ ଚର୍ଚ୍ଚାର ବିଷୟ ହୋଇଛି ।

ହିଂଜିଳିରେ ପାଂଚ ଦିନ ଧରି ଯାତ୍ରା ପରିବେଷଣ କରିଥିଲା ପାର୍ବତୀ ଗଣନାଟ୍ୟ । ଶନିବାର ରାତିରେ ରେକର୍ଡ ଡ୍ୟାନ୍ସ କରିଥିଲେ ସଂଜୟ ଓ ତାଙ୍କ ପତ୍ନୀ ମାନିନୀ ଏବଂ ଚକା ଓ ତାଙ୍କ ପାର୍ଟନର । ତେବେ ସୋ’ ଚାଲିଥିବା ବେଳେ ଚକାର ବ୍ୟବହାରରେ ଅସନ୍ତୁଷ୍ଟ ହୋଇଥିଲେ ମାନିନୀ । ଦୁଇ କଳାକାରଙ୍କ ମଧ୍ୟରେ ବିବାଦ ପରେ ମାନିନୀଙ୍କ ସ୍ୱାମୀ ସଂଜୟ, ଚକାକୁ ତାଗିଦ କରିଥିଲେ । ସକାଳେ ଯାତ୍ରା ପରିଚାଳନା କମିଟି ହସ୍ତକ୍ଷେପ କରି ଏହି ବିବାଦର ସମାଧାନ କରିଥିଲେ । ହେଲେ ଚକାର ରାଗ ଥମିନଥିଲା, ସଂଜୟଙ୍କୁ ଅତର୍କୀତ ଭାବେ ଛୁରାମାଡ କରିଥିଲା ଚକା । ମାନିନୀ ମଧ୍ୟ ତା’ ଆକ୍ରମଣରୁ ବର୍ତି ନଥିଲେ ।

ଆହତ ସଂଜୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି । ଅଭିଯୁକ୍ତ ଚକାକୁ ହିଂଜିଳି ପୁଲିସ କଷ୍ଟୋଡିକୁ ନେଇ ଘଟଣାର ତଦନ୍ତ କରୁଛି ।