ବର୍ଷାରେ ବେହାଲ ଭୁବନେଶ୍ୱର : ପୁଣି ଇସ୍କନ ମନ୍ଦିର ଆଗରେ କୁତ୍ରିମ ବନ୍ୟା, ଫସିଲା ଯାତ୍ରୀବାହୀ ବସ

77

କନକ ବ୍ୟୁରୋ : ଦୁଇଦିନର ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର । ସବୁଠାରୁ ବଡ କଥା ହେଲା, ସହରର ଇସ୍କନ ମନ୍ଦିର ଆଗରେ ପୁଣି ସେହି କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ଆଜି ସକାଳୁ ସକାଳୁ ବର୍ଷାରେ ମନ୍ଦିର ଆଗରେ ଆଣ୍ଠୁଏ ଆଣ୍ଠୁୁଏ ପାଣି ଜମା ହୋଇଛି ।

 

ଖାଲି ଇସ୍କନ ମନ୍ଦିର ସାମ୍ନା ନୁହେଁ ବରଂ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ଲହଡି ଭାଙ୍ଗି ବର୍ଷା ପାଣି । ଯେଉଁଠି ଦେଖିବେ ସେଠି ଆଣ୍ଠିଏ ଲେଖାଏ ପାଣି । ପିଲାଙ୍କଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।

ପୁରୀରେ ଲଗାଣ ବର୍ଷା ଯୋଗୁଁ ମାର୍କଣ୍ଡ ପୋଖରୀର ପାଚେରୀ ଭାଙ୍ଗି ଯାଇଛି । ୧୦୦ଫୁଟର ଏହି ପାଚେରୀ ଭାଙ୍ଗି ଗଳିପଡିଛି । ଫଳରେ ଏକ ନମ୍ବର ୱାର୍ଡ ଉପରେ ବିପଦ ରହିଥିବା ଖବର ମିଳିଛି । ପୁରୀର ପଂଚତୀର୍ଥ ମଧ୍ୟରୁ ଏହି ପୁସ୍କରିଣୀ ଅନ୍ୟତମ । ଏହି ଘଟଣା ପରେ ପୁରୀ ଗୋଶାଲାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଚେରୀ ଭୁଶୁଡିବା ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଂଚିପାରିନାହାନ୍ତିା ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ବି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୨ ଘଂଟା ଯାଏଁ ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ଲାଗି ରହିବ । ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଛତିଶଗଡ ମୁହାଁ ହେଲାଣି । ଏହାର ପ୍ରଭାବରେ ଆସନ୍ତା ୧୨ ଘଂଟା ଯାଏ ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ସୋନପୁର ରାୟଗଡା, କନ୍ଧମାଳ, ସମ୍ବଲପୁର ଓ ବୌଦ୍ଧରେ ଆଜି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିରରେ ପଶିଛି ପାଣି । କଳାହାଣ୍ଡିରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି ।