ଜଳପଥ ଦେଇ ଭାରତ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଆଶଙ୍କା : ସତର୍କ କଲା ଗୁଇନ୍ଦା ବିଭାଗ, ସତର୍କ ନୌସେନା

553

କନକ ବ୍ୟୁରୋ : ଭାରତ ଉପରେ ଜଳପଥ ଦେଇ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । କାଶ୍ମୀରରୁ ୩୭୦ ଉଛେଦ ପରେ ପାକିସ୍ତାନ ପଟୁ ଆତଙ୍କୀ ହମଲାର ଆଶଙ୍କା ଘନଉଛି । ଏନେଇ ସତର୍କ କରିଛି ଭାରତୀୟ ଗୁଇନ୍ଦା ବିଭାଗ । ଏଥର ଜଳପଥ ଦେଇ ଅନୁପ୍ରବେଶ କରିପାରନ୍ତି ଆତଙ୍କୀ । ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ନୌସେନା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି ।

୩୭୦ ଉଠିବା ପରେ ପାଗଳପ୍ରାୟ ପାକିସ୍ତାନ । ହିତାହିତ ଜ୍ଞାନ ଭୁଲି ଭାରତରେ ବିରୋଧରେ ଗୋଟିଏ ପରେ ଗୋଟିଏ ଚାଲ ଖେଳୁଛି । ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ଚଳାଇଛି । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସମୁଦ୍ର ପଥ ଦେଇ ଆତଙ୍କବାଦୀ ହମଲାର ସମ୍ଭାବନା ରହିଛି । ଉଭୟ ପୂର୍ବ ଓ ପଶ୍ଚିମ ଉପକୂଳରେ ସୁରକ୍ଷା କଡାକଡି କରାଯାଇଛି । କଡ଼ା ନଜରରେ ରହିଛି ସମୁଦ୍ର ପଥ । ଏଥିସହ ସମ୍ବେଦନଶୀଳ ସ୍ଥାନଗୁଡିକରେ ସନ୍ଦିଗ୍ଧ ବୋଟ ଚିହ୍ନଟ କରିବା ପାଇଁ ରାଡାର ବ୍ୟବସ୍ଥା କରାଯାଇଛି ।

କିଛି ଦିନ ତଳେ ଜୈଶ-ଏ-ମହମ୍ମଦର ମୁଖିଆ ମୌଲାନା ମାସୁଦ ଆଝହର ଭାଇ ରୌଫ ଆଜହରକୁ ପିଓକେରେ ଦେଖିବାକୁ ମିଳିଥିଲା । ସେ ପିଓକେରେ ସଂଖ୍ୟାଧିକ ଜୈଶ ଆତଙ୍କବାଦୀଙ୍କୁ ଭାରତ ପଠାଇବାକୁ ଯୋଜନା କରୁଛି । ତେବେ ଜମ୍ମୁକଶ୍ମୀର ଓ ପଂଜାବ ସୀମା ଦେଇ ମଧ୍ୟ ଆତଙ୍କବାଦୀ ପଶିବା ସମ୍ଭାବନା ଥିବାରୁ ଭାରତର ତିନି ସେନାକୁ ଆଲର୍ଟରେ ରଖାଯାଇଛି । ଜମ୍ମୁ-କାଶ୍ମୀରର ସବୁ ଅଞ୍ଚଳରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।