ବାହାନା କରୁଛନ୍ତି ପ୍ରଦୀପ : ଜେଲ ଭିତରେ ନିଜକୁ ରକ୍ତାକ୍ତ କଲେ ଚିଟଫଣ୍ଡ ଦଲାଲ୍ ପ୍ରଦୀପ ସେଠୀ

39

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଅର୍ଥତତ୍ୱ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ । ଝାରପଡା ଜେଲ ଭିତରେ ଗତକାଲି ରାତିରେ ସେ ନିଜ ହାତକୁ କାଟିବା ସହ ମୁଣ୍ଡକୁ ସେଲର ରେଲିଂରେ ପିଟି ଦେଇଥିବା ଖବର ଆସିଛି । ତେବେ ଏହା ଆତ୍ମହତ୍ୟା ନା ଜେଲ୍ ବାହାରକୁ ଯିବାକୁ ବାହାନା, ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ଜେଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦି ସତରେ ପ୍ରଦୀପ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି, ତେବେ ତାଙ୍କ ବିରୋଧରେ ଲାଗିଥିବା ଅନେକ ଦଫା ସହ ଯୋଡି ହୋଇଯିବ ଆତ୍ମହତ୍ୟା ଉଦ୍ୟମର ସଂଗୀନ ଦଫା ।

୩ ବର୍ଷ ୨ ମାସ ୧୭ ଦିନ । କାଳକୋଠରୀରେ ଅନ୍ଧାରକୁ ଆଉ ସମ୍ଭାଳି ହେଉନି । ସେଲ୍ ଭିତରେ ରୁଦ୍ଧି ହୋଇଯାଉଛି ମନ । ତେଣୁ ଏ ଜୀବନ ଠାରୁ ମରଣ ଭଲ । ଏମିତି କିଛି ମାନସିକତା ଏବେ ଘାଂଟିଚକଟି ଦେଉଛି ପ୍ରଦୀପ ସେଠୀଙ୍କୁ । ୫ ଶହରୁ ଉର୍ଦ୍ଧ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ । ଗତକାଲି ବିଳମ୍ବିତ ରାତିରେ ହଠାତ୍ ଏକ କଳଙ୍କିଲଗା ଲୁହା ଛଡରେ ନିଜ ହାତ ଶିରାକୁ କାଟିବା ସହ ମୁଣ୍ଡକୁ ଦୁମଦୁମ୍ କରି ପିଟି ଦେଇଥିଲେ ଲୁହା ରେଲିଂରେ ।

 ଆତ୍ମହତ୍ୟା ନା ବାହାରକୁ ବୁଲିଯିବାର ବାହାନା । ମୋଟାମୋଟି କହିବାକୁ ଗଲେ ପ୍ରଦୀପଙ୍କ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଯାହାକୁ ସାହାରା କରି ପ୍ରାୟ ପ୍ରତି ସପ୍ତାହରେ ପ୍ରଦୀପ ଯାଆନ୍ତି କ୍ୟାପିଟାଲ ହସ୍ପିଟାଲ । ଆଉ ଅନେକ ସମୟରେ ଘଂଟାଘଂଟା ଧରି ସେଠି ନିଜ ସଂପର୍କୀୟଙ୍କ ସହ ଗପସପ ଜମାନ୍ତି। ଏ ଖବର ଗଣମାଧ୍ୟମରେ ଆସିବା ପରେ ଝାରପଡା ଜେଲ୍ କର୍ତ୍ତୃପକ୍ଷ ପ୍ରଦୀପକୁ ଛାଡି ନଥିଲେ ବାହାରକୁ। ତେଣୁ ନିଜକୁ ରକ୍ତାକ୍ତ କରି ମେଡିକାଲ୍ ଯିବାକୁ ଏହା ପ୍ରଦୀପଙ୍କ ଷ୍ଟ୍ରାଟେଜି ହୋଇପାରେ ବୋଲି କୁହାଯାଇଛି ।

ସେପଟେ ଘଟଣାର ତଦନ୍ତ ପାଇଁ ଜେଲରେ ପହଂଚିଛନ୍ତି ଜେଲ ଡିଆଇଜି । ଅନ୍ୟପକ୍ଷରେ ସ୍ୱାମୀ ଆହତ ହୋଇଥିବା ଖବର ପାଇବା ପରେ ସ୍ତ୍ରୀ ପହଂଚିଥିଲେ ସାକ୍ଷାତ ପାଇଁ । ଆତ୍ମହତ୍ୟା ଉଦ୍ୟମ ପୁଣି ପ୍ରଦୀପ ସେଠୀ । ହୁଏତ ଏକଥାକୁ କେହି ବିଶ୍ୱାସ କରି ପାରୁନାହାଁନ୍ତି । କାରଣ ଇଏ ସେହି ବ୍ୟକ୍ତି ଯିଏ , ଅୟେଶ ଆରାମ୍ କରିବାକୁ ଗରିବଙ୍କୁ ଲୁଟିଥିଲେ ।