ପାରିବେନି କେହି ଅଲଗା କରି. . .ବର୍ଷା-ଅନୁଭବ ସୋସିଆଲ ମିଡିଆ ପୋଷ୍ଟରେ ଟ୍ୱିଷ୍ଟ । ପ୍ରେମଭରା ଲେଖାକୁ ନେଇ ପୁଣି ଚର୍ଚ୍ଚା

214

କନକ ବ୍ୟୁରୋ: ଅନୁଭବ-ବର୍ଷା, ଓଡ଼ିଆ ଫିଲ୍ମର ସବଠୁ ସଫଳ ଯୋଡ଼ି । ଏହି ଯୋଡ଼ିକୁ ନେଇ ସବୁ ବେଳେ ଚର୍ଚ୍ଚା । କେତେବେଳେ ନିଖୁଣ ଅଭିନୟ ପାଇଁ, ତ ଆଉ କେତେବେଳେ ଫିଲ୍ମର ସଫଳତା ପାଇଁ । ସଫଳତାର ଶୀର୍ଷରେ ପହଂଚିଥିବା ଏହି ଯୋଡ଼ି, ନିଜ ନିଜ ସୋସିଆଲ ସାଇଟରେ ବି ବେଶ ତତ୍ପର । ଆଉ ତିନି ଦିନ ତଳେ ସୋସିଆଲ ମିଡିଆରେ ଅନୁଭବ କରିଥିବା ଏକ ପୋଷ୍ଟ ଏବଂ ପ୍ରତିଉତରରେ ବର୍ଷା ରଖିଥିବା ଉତରରୁ ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିବା ଚର୍ଚ୍ଚାହୋଇଥିବା ବେଳେ ଆଜି ପୁଣି ଥରେ ଉଭୟ ବର୍ଷା ଓ ଅନୁଭବ ତାଙ୍କ ମନର କଥାକୁ ଫେସବୁକରେ ଲେଖିଛନ୍ତି । ବର୍ଷା ଲେଖିଛନ୍ତି କି, “ସେ ତାଙ୍କ ସ୍ୱାମୀ ଅନୁଭବଙ୍କୁ ବହୁତ ଭଲ ପାଆନ୍ତି ବୋଲି” ।

ବର୍ଷାଙ୍କର ଏହି ଫେସବୁକ ପୋଷ୍ଟ ପରେ ସୁପରଷ୍ଟାର ଅନୁଭବ ମହାନ୍ତି ବି ଚୂପ ରହି ରହିନଥିଲେ । ଆଉ ସେ ମଧ୍ୟ ଅନୁରୁପ ଭାବେ ଏକ ଲେଖା ପୋଷ୍ଟ କରିଛନ୍ତି । ଯେଉଁଥିରେ ଅନୁଭବ କହୁଛନ୍ତି, ଯେ ସେ ତାଙ୍କ ପତ୍ନୀ ବର୍ଷାଙ୍କୁ ଭଲ ପାଆନ୍ତି । ଆଉ ତାଙ୍କ ସମ୍ପର୍କକୁ ନେଇ କାହାକୁ ଉତର ଦେବା ଦରକାର ନାହିଁ ବୋଲି ବର୍ଷାଙ୍କୁ ପରାମର୍ଶ ଦେଇଛନ୍ତି ।

ଓଲିଉଡର ସୁପରଷ୍ଟାର ତଥା ସାଂସଦ, ଶୁକ୍ରବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଅନୁଭବ କିଛି ମର୍ମଭେଦୀ କଥା ଲେଖିଥିଲେ । ଯେଉଁଥିରେ ଜଣେ ତାଙ୍କୁ ବୁଝିପାରୁ ନାହିଁ ବୋଲି ଲେଖିବାକୁ ଚାହିଁଥିଲେ ଓଲିଉଡର ଏହି ସୁପରଷ୍ଟାର । ଇନଷ୍ଟାଗ୍ରାମର ଏହି ପୋଷ୍ଟରେ ଅନୁଭବ ଲେଖିଥିଲେ କି,

“ଏମିତି ଜଣଙ୍କ ସହ ରହିବା, ଯିଏ ତୁମକୁ ପ୍ରଶଂସା କରେ ନାହିଁ, ଯିଏ ତୁମ ଭଲ ପାଇବା ବୁଝେ ନାହିଁ, ତୁମ ସାଧୁତା ଓ ତ୍ୟାଗକୁ ବିଝିପାରେ ନାହିଁ । ଏବଂ ଭାବାବେଗକୁ ମଧ୍ୟ ଜାଣିପାରେ ନାହିଁ । ଏହା କ’ଣ ନିଷ୍ଠା ? ଏହା ବୋକାମୀ ଏବଂ ଛଳନା । ମନେରଖ, ତୁମେ ପୃଥିବୀର ସବୁଠୁ ବଡ ବୋକା/ବୋକି ।”

ବଡ କଥା ହେଲା କି, ଇନଷ୍ଟାଗ୍ରାମର ଏହି ପୋଷ୍ଟର ମାତ୍ର କେଇ ମୁହୁର୍ତ୍ତ ପରେ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ଇନଷ୍ଟାଗ୍ରାମରେ ମଧ୍ୟ କିଛି ଭାବାବେଗଭରା ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖାଥିଲାକି,

“ଯଦି ବି ତୁମ ସାଥୀ ସଂପର୍କକୁୁ ଧ୍ୱଂସ ଏବଂ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ସବୁବେଳେ ଗୋଟିଏ ସଂପର୍କକୁ ବଂଚାଇ ରଖିବାକୁ ଚେଷ୍ଟାକର । ଅହଂଭାବ, ଇର୍ଷା, ରାଗ ଏବଂ ସ୍ୱାର୍ଥପରତା ଠାରୁ ଦୂରରେ ରୁହ । ନିଜ ସଂପର୍କ ପ୍ରତି ବିଶ୍ୱସ୍ଥ ଏବଂ ନିଷ୍ଠାପର ରୁହ । ମିଛ ଅପବାଦ ଏବଂ ଅପମାନିତ କରିବା ବନ୍ଦ କର । ଗୋଟିଏ ଶବ୍ଦ, ଲଢ଼େଇକୁ ରୋକିପାରିବ, ଗୋଟିଏ ପଦକ୍ଷେପ ଗୋଟିଏ ସଂପର୍କକୁ ବଂଚାଇପାରିବ । ଗୋଟିଏ ସଂପର୍କକୁ ଭାଙ୍ଗିବା ସହଜ କିନ୍ତୁ ଏହାକୁ ବଜାୟ ରଖିବା ଅତିକଷ୍ଟ । ସବୁବେଳେ ଦୃଢ଼ମନା ହୁଅ । ଛଳନା ଏବଂ ପ୍ରତିଶୋଧ ପାଇଁ ସମୟନଷ୍ଟ କରନାହିଁ । ତୁମ ସମୟକୁ ଭଲ କାର୍ଯ୍ୟରେ ଲଗାଅ ଏବଂ ନିଜ ପରିବାର ସହ ବିତାଅ । ହସଖୁସିରେ ରୁହ ଏବଂ କ୍ଷମା ଦେବା ଶିଖ ।—ନିଜେ ବଂଚ ଏବଂ ଅନ୍ୟକୁ ବଂଚିବାକୁ ଦିଅ ।”

ତେବେ ଅନୁଭବ କରିଥିବା ପୋଷ୍ଟ ଏବଂ ବର୍ଷା କରିଥିବା ପୋଷ୍ଟ, ଏହି ଦୁଇଟି ପୋଷ୍ଟ ଭିତରେ କ’ଣ ସଂପର୍କ କିମ୍ବା ସାମଞ୍ଜସ୍ୟ ରହିଥିଲା, ତାହା କେବଳ ନିଜେ ଅନୁଭବ କିମ୍ବା ବର୍ଷା ହିଁ କହିପାରିବେ । କିନ୍ତୁ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋରଧରିଥିବା ବେଳେ ଆଜି ଉଭୟଙ୍କ ଫେସବୁକ ପୋଷ୍ଟ ଦୁଇ ଦିନ ପୂର୍ବର ତିକ୍ତତାକୁ ଦୂରେଇ ଦେଇଥିବା ପରି ମନେ ହେଉଛି । କାରଣ ଆଜି ଆସିଥିବା ଉଭୟଙ୍କ ପୋଷ୍ଟ ବେଶ୍ ସକରାତ୍ମକ ମନେ ହେଉଛି ।