ସେନାକୁ ମିଳିବ ବାହୁବଳୀ କ୍ଷେପଣାସ୍ତ୍ର ! ୭୦ କିମି ପର୍ଯ୍ୟନ୍ତ କରିବ ଲକ୍ଷ୍ୟଭେଦ, ଧରାସାୟୀ ହେବ ଶତ୍ରୁପକ୍ଷର ଯୁଦ୍ଧବିମାନ

35

କନକ ବ୍ୟୁରୋ : ଶକ୍ତି ବଢାଇବ ଭାରତ । ଧରାସାୟୀ ହେବ ଶତ୍ରୁପକ୍ଷର ଯୁଦ୍ଧବିମାନ । ଦୀର୍ଘ ବର୍ଷ ପରେ ସେନାକୁ ମିଳିବ ଶକ୍ତିଶାଳୀ କ୍ଷେପଣାସ୍ତ୍ର । ମଧ୍ୟମ ଧରଣର ଏହି କ୍ଷେପଣାସ୍ତ୍ର ସ୍ଥଳ ଭାଗରୁ ଆକାଶ ମାର୍ଗକୁ କରିପାରିବ ଟାର୍ଗେଟ୍  । ଯାହା ଆର୍ମିର ବାୟୁସେନାକୁ କରିବ ଅଧିକ ଶକ୍ତିଶାଳୀ । କେବଳ ସ୍ଥଳ ସେନା ନୁହଁ ଏହି ମିଶାଇଲକୁ ନୌସେନାରେ ମଧ୍ୟ ବ୍ୟବହାର କରାଯାଇପାରିବ।  ଅତ୍ୟାଧୂନିକ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ଆକାଶରୁ ହେଲିକପ୍ଟର ଏବଂ ଯୁଦ୍ଧ ବିମାନକୁ ତଳେ ଖସାଇଦେବାର କ୍ଷମତା ରହିଛି । ଏହା ସହ ୭୦ କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷର ମିଶାଇଲ୍ , ଲଢୁଆ ବିମାନ ଏବଂ ହେଲିକପ୍ଟରକୁ ଲକ୍ଷ୍ୟଭେଦ କରିବାର ମଧ୍ୟ କ୍ଷମତା ରଖିଛି ଏହି ବାହୁବଳୀ ମିଶାଇଲ୍  ।

ଏହି ମିଶାଇଲ୍ ସିଷ୍ଟମକୁ ଡିଆରଡିଓ ଓ ଇସ୍ରାଏଲଥ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି  । ଆଗାମୀ ୨୦୨୦ ସୁଦ୍ଧା ଭାରତୀୟ ସେନାକୁ ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମିଳିବ ବୋଲି ସୂଚନା ମିଳିଛି  । ଡିଆରଡିଓର ଏକ ବରିଷ୍ଠ ଅଫିସର କହିଛନ୍ତି ଯେ ମଧ୍ୟମ ଧରଣର ଏହି କ୍ଷେପଣାସ୍ତ୍ର ଆଗାମୀ ୩ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଶତ୍ରୁପକ୍ଷର ଆକ୍ରମଣକୁ ବିଫଳ କରିବାର ଶକ୍ତି ରଖିଥିବା ଏହି କ୍ଷେପଣାସ୍ତ୍ରର ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କ୍ଷମତା ହେଉଛି ୭୦ କିମି  ।

ଏହି ମିଶାଇଲ୍ ସିଷ୍ଟମ ଭୂପୃଷ୍ଠରୁ ମୋବାଇଲ ଲଞ୍ଚର ଜରିଆରେ ୩୬୦ ଡିଗ୍ରୀରେ ଲକ୍ଷ୍ୟଭେଦ କରିପାରିବ । ସ୍ୱତନ୍ତ୍ର ଜ୍ଞାନ କୌଶଳରେ ତିଆରି ଏହି ମିଶାଇଲ ପାଇଁ ୧୭,୦୦୦ କୋଟି ଟଙ୍କା ବ୍ୟୟ ହେବ । ଏଥିପାଇଁ ୪୦ଟି ଫାୟାରିଂ ୟୁନିଟର ପରିକଳ୍ପନା କରାଯାଇଥିବା ବେଳେ ପ୍ରାୟ ୨୦୦ଟି ମିସାଇଲ ନିର୍ମାଣ ପାଇଁ ଚୁକ୍ତି ହୋଇଛି।

ସୌଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ