ଆହୁରି ହଟିନି ପଥର ! ୯ ଦିନ ପରେ ବି ଉଦ୍ଧାର ହୋଇପାରୁନାହାନ୍ତି କୋରାପୁଟ ଗୁମ୍ମା ପାହାଡରେ ପୋତି ହୋଇରହିଥିବା ୨ ଜେସିବି ଅପରେଟର

28

କନକ ବ୍ୟୁରୋ: ଆହୁରି ହଟିନି ପଥର । ୯ ଦିନ ପରେ ବି ଉଦ୍ଧାର ହୋଇପାରୁନାହାନ୍ତି କୋରାପୁଟ ରାଣିଗଡ ଗୁମ୍ମା ପାହାଡରେ ପୋତି ହୋଇରହିଥିବା ୨ ଜେସିବି ଅପରେଟର । ପଥର ବ୍ଲାଷ୍ଟିଂ ସହ ସେନାର ଜୋରଦାର ଅପରେସନ ଜାରି ରହିଛି । ଗତକାଲି ବ୍ଲାଷ୍ଟିଂ କରି ଦୁଇଟି ପଥରକୁ ଫଟାଯାଇଥିଲା । ଆଜି ଆଉ କିଛି ଛୋଟ ବ୍ଲାଷ୍ଟିଂ କରାଯିବାପରେ ପଥର ସବୁ ହଟାଯିବ । ପଥର ହଟିଗଲା ପରେ ଘନଶ୍ୟାମ ଓ ସଞ୍ଜୟ କିଭଳି ଅବସ୍ଥାରେ ଅଛନ୍ତି ତାହା ଜଣାପଡିବ । ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ସମେତ ସମସ୍ତ ବିଭାଗ ହାତ ଟେକିଦେଇଥିବାବେଳେ ସେନାର ଉଦ୍ଧାର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ପଥର ତଳେ ଏବେ ବି ଚାପି ହୋଇ ରହିଛନ୍ତି ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡର ସଞ୍ଜୟ ଦାସ୍ ।

ଆଜି ସକାଳୁ ପ୍ରଶାସନ, ପୁଲିସ, ସ୍ଥଳ ସେନା ଓ ବାୟୁ ସେନାର ଉପସ୍ଥିତିରେ ଏଠାରେ ପଥର ବ୍ଲାଷ୍ଟିଂ ସହ ସେନାର ଜୋରଦାର ଅପରେସନ ଜାରି ରହିଛି । । ତେଣୁ ଗତକାଲିଠାରୁ ପଥର ଗୁଡିକ କଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସେହିପରି ପ୍ରଶାସନ ପକ୍ଷରୁ ବୋରିପୁଟରେ ୧୪୪ଧାରା ଜାରି କରାଯାଇଛି। ଏହାସହ ଗୁମ୍ମା ପାହାଡରୁ ପଥର ଖସୁଥିବାରୁ ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଡାକବାଜି ଯନ୍ତ୍ରରେ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ରହିଥିବା ଜନବସତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।