ଯୁଦ୍ଧ ପାଇଁ ସେନାର ନୂଆ ରଣନୀତି ! ଗଠନ କରିବ ଇଂଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍, ପାକିସ୍ତାନ ଚାଲେଞ୍ଜର ମୁକାବିଲା ପାଇଁ ହେବ ଲାଭଦାୟକ । 

133

କନକ ବ୍ୟୁରୋ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ଗଠନ କରିବ ଇଂଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ ଆଇବିଜି । ଏ ସମ୍ପର୍କରେ ଭାରତୀୟ ସେନା ପ୍ରତିରକ୍ଷା ମନ୍ତ୍ରାଳୟକୁ ଆଗାମୀ ଯୋଜନା ପଠାଇଥିବାର ଜଣାପଡ଼ିଛି  । ଏହି ଆଇବିଜି ପାଇଁ ସେନା ୨ ସପ୍ତାହ ଧରି ଯୁଦ୍ଧାଭ୍ୟାସ କରିବାର ସମ୍ଭାବନା ରହିଛି  । ତେବେ କ’ଣ ଏହି ଆଇବିଜି ? ଚୀନ ଓ ପାକିସ୍ତାନ ଆହ୍ୱାନ ସୃଷ୍ଟି କରୁଥିବା ବେଳେ କିଭଳି ଏହା ଲାଭଦାୟକ ପାଲଟିବ  ।

ଯୁଦ୍ଧ ସ୍ଥିତି ପାଇଁ ନୂଆ ରଣନୀତି । ସେନା ପ୍ରସ୍ତୁତ କରୁଛି ବ୍ୟାଟେଲ୍ ଗ୍ରୁପ୍ । ଏଲଓସିରେ ଲଗାତାର ଉତ୍ତେଜନା ଓ ଡୋକଲାମ୍ ଅବରୋଧ ଭଳି ଘଟଣା ପରେ ସମ୍ଭାବ୍ୟ ଯୁଦ୍ଧସ୍ଥିତିର ମୁକାବିଲା ପାଇଁ ସେନା ଗଠନ କରିବ ଆଇବିଜି ବା ଇଂଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍  । ଚୀନ ଓ ପାକିସ୍ତାନ ପକ୍ଷରୁ ସବୁବେଳେ ଯୁଦ୍ଧଆଶଙ୍କା ଲାଗି ରହୁଥିବାରୁ ସେନା ଆଇବିଜି ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି । ପାକିସ୍ତାନର ଯୁଦ୍ଧଖୋର୍ ନୀତି ଓ ଚୀନର ଧମକପୂର୍ଣ୍ଣ ଆଚରଣର ମୁକାବିଲା କରିବାକୁ ସେନା ଆଇବିଜି ଉପରେ ଜୋର ଦେଉଥିବା ଜଣାପଡ଼ିଛି । ଆଗାମୀ କିଛି ମାସ ମଧ୍ୟରେ ପଂଜାବ୍ ୱେଷ୍ଟର୍ଣ୍ଣ କମାଣ୍ଡରେ ଏହାର ଅଭ୍ୟାସ କରାଯିବାର ସମ୍ଭାବନା ରହିଛି । ତେବେ ବର୍ତମାନ ଭାରତୀୟ ସେନା ନିଜର ଏହି ସୁଚିନ୍ତିତ ଆଇବିଜି ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟକୁ ପଠାଇଥିବା ସୂଚନା ମିଳିଛି  ।

କିପରି କାମ କରିବ ବ୍ୟାଟେଲ୍ ଗ୍ରୁପ୍ ?

– ନୂଆ ରଣନୀତି ଅନୁଯାୟୀ ଅଭ୍ୟାସ ବେଳେ ସେନାକୁ ପ୍ରଥମେ ୨ଟି ଦଳରେ ବିଭକ୍ତ କରାଯିବ  ।

– ପ୍ରଥମ ଦଳ ସୀମା ସେପାଖକୁ ଯାଇ ଅପରେସନର ଅଭ୍ୟାସ କରିବେ  ।

– ଦ୍ୱିତୀୟ ଦଳ ଶତ୍ରୁ ଆକ୍ରମଣକୁ ରୋକିବା ଓ କ୍ଷେତ୍ରୀୟ ସୁରକ୍ଷା ଦାୟିତ୍ୱରେ ରହିବେ  ।

– ପ୍ରଚଳିତ ବ୍ରିଗେଡ୍ ବ୍ୟବସ୍ଥା ବଦଳରେ ସେନା ଏହି ୨ଟି ଦଳର ବ୍ୟବସ୍ଥା କରିବ  ।

– ବ୍ରିଗେଡ୍ ବ୍ୟବସ୍ଥାରେ ଯୁଦ୍ଧାସ୍ତ୍ର ଓ ସରଂଜାମ ପାଇଁ ଅପେକ୍ଷା କରିବାକୁ ପଡୁଥିବା ବେଳେ ଆଇବିଜି ନିକଟରେ ତୋପ, ବନ୍ଧୁକ ଓ ଟ୍ୟାଙ୍କ୍ ସବୁକିଛି ଉପଲବ୍ଧ ରହିବ  ।

– ଗୋଟିଏ ଦଳରେ ୪ଟି ଛୋଟ ଦଳ ଓ ସମସ୍ତ ପ୍ରକାର ଯୁଦ୍ଧ ଉପକରଣ ରହିବ  ।

ସୀମା ସୁରକ୍ଷା ଓ ଶତ୍ରୁର ମାଟିରେ ଶତ୍ରୁକୁ ଧୁଳି ଚଟାଇବା ଏହି ଇଂଟିଗ୍ରେଟେଡ୍ ବ୍ୟାଟେଲ ଗ୍ରୁପର ମୂଳ ଉଦ୍ଦେଶ୍ୟ ରହିବ । ପ୍ରତିରକ୍ଷା ସହ ସୀମା ସେପାଖରେ ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ଆଇବିଜି ପାଖରେ ପର୍ଯ୍ୟାପ୍ତ ପରିମାଣର ତୋପ, କମାଣ, ବନ୍ଧୁକ, ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧ ସଂରଜାମ ରହିବ  । ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଓ ନିକଟରେ ଘଟିଥିବା ଚୀନ ସେନା ଡୋକଲାମ ଘଟଣା ପରି ସ୍ଥିତିରେ ସେନା ନୂଆ ରଣନୀତିକୁ ମଂଜୁରୀ ଦେବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟକୁ ପଠାଇଛି । ଆଉ ସେନାର ଏହି ଅଭେଦ୍ୟ ରଣନୀତି ସାଂପ୍ରତିକ ସ୍ଥିତିରେ ବିଶେଷ ଉପଯୋଗୀ ହେବା କୁହାଯାଉଛି  ।