ପଥର ତଳେ ଚପି ରହିଥିବା ଦୁଇ ଜଣଙ୍କ ଉଦ୍ଧାର ପାଇଁ ବିସ୍ଫୋରଣ କରିବ ସେନା! ରାଣୀଗଡ ଗାଁ ଲୋକଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ ପରେ ନିଷ୍ପତି, ଏକ କିଲୋମିଟର ଯାଏଁ ଖାଲି ହେବ ଅଞ୍ଚଳ

35

କନକ ବ୍ୟୁରୋ : ପାହାଡ ଫୁଟାଇ ଜୟପୁରର ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଘଟଣାସ୍ଥଳରୁ ୧ କିଲୋମିଟର ପର୍ଯ୍ୟନ୍ତ ମଣିଷ, ଗାଈଗୋରୁଙ୍କୁ ଖାଲି କରିବାକୁ କୁହାଯାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପରେ କେତେବେଳେ ବିସ୍ଫୋରଣ କରାଯିବ ସେନେଇ ନିଷ୍ପତି ହେବ । ଜୟପୁର ରାଣୀଗଡ ପାହାଡରେ ପ୍ରଶାସନର ସବୁ ଉଦ୍ୟମ ଫେଲ ମାରିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଂଚିଛି ସେନା । ବିହାରର ରାଂଚିରୁ ଏହି ଆର୍ମି ଇଂଜିନିୟରିଂ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ରାଣୀଗଡ ପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାସନ ଓ ସେନା ।

ପୂର୍ବରୁ ଓଡ୍ରାଫ, ଏନଡିଆରଏଫ ଓ ପୁଲିସର ମିଳିତ ବାହିନୀ ଫେଲ ମାରିଛନ୍ତି । ରାୟପୁରରୁ ଆସିଥିବା ଅତ୍ୟାଧୁନିକ ମେସିନରେ ମଧ୍ୟ ଉଦ୍ଧାର କରା ଯାଇପାରିଲା ନାହିଁ । ଉଦ୍ଧାର ପାଇଁ ଯେକେହି ବି ଆସିଲେ ସ୍ଥିତି ଦେଖି ହାତ ଟେକିଦେଲେ । ଫଳରେ ପ୍ରଶାସନ ନିରୁପାୟ ହୋଇ ପଥର ତଳେ ଚାପି ହୋଇରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ଲୋଡିଥିଲା । ଏବେ ଏହି ଘଟଣାକୁ ୭ ଦିନ ବିତିଯାଇଥିବା ବେଳେ ବଡ ବଡ ପଥର ତଳେ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇ ରହିଛନ୍ତି ।