ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରୁଛି ଭାରତୀୟ ସେନା । ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର, ୩ ଆତଙ୍କୀ ନିହତ ।

33

ସୀମାରେ ଆତଙ୍କବାଦୀଙ୍କୁ ଗୋଡାଇ ଗୋଡାଇ ନିପାତ କରୁଛି ଭାରତୀୟ ସେନା । ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ନିରାପତ୍ତା ବଳ ଚଳାଇଥିବା ଏନକାଉଣ୍ଟର୍ ଯୋଗୁଁ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଖୁଦଓ୍ଵାନି ଅନ୍ତର୍ଗତ ଓ୍ଵାନି ମହଲାରେ ଗୁଳି ବିନିମୟ ଚାଲିଛି । ଜଣେ ପୁଲିସ ଅଧିକାରୀ କହନ୍ତି: ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତିର ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ନିରାପତ୍ତା ବଳ କର୍ଡନ୍-ଆଣ୍ଡ୍-ସର୍ଚ ଅପରେସନ୍ ଆରମ୍ଭ କରିଥିଲେ । ସେ ଅଞ୍ଚଳରେ ଅନ୍ୟୂନ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ବିଶ୍ୱାସ କରାଯାଉଛି । ଫସି ରହିଥିବା ଆତଙ୍କବାଦୀମାନେ ହିଁ ପୁଲିସବାଲା ସଲୀମ୍ ଶାହାଙ୍କୁ ହତ୍ୟା କରିଥିଲେ ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ତଲାସ ଅଭିଯାନରେ ଥିବା ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ତା’ର ପାଲଟା ଜବାବ ଦେବାରୁ ପରସ୍ପର ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି । ଅଧିକ ବିସ୍ତୃତ ଖବର ପାଇଁ ଅପେକ୍ଷା କରାଯାଇଛି । କୁଲଗାମ ବାସଭବନରୁ ପୂର୍ବରୁ ଅପହରଣ କରି ନିଆଯାଇଥିବା କନେଷ୍ଟବଳ ସଲିମ୍ ଶାହାଙ୍କ ଶବ ପୁଲିସ ଶନିବାର ଦିନ ପାଇଥିଲା । ହିଜବୁଲ୍ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ସ୍ପଷ୍ଟ ଜଣାପଡୁଛି ।