ପ୍ରବଳ ବରଫପାତରେ ଦେବଦୂତ ସାଜି ଆସିଲେ ସେନା : ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଅଢ଼େଇ କିମି ଚାଲିଲେ ଯବାନ, ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା

91

କାଶ୍ମୀରରେ ପ୍ରବଳ ବରଫପାତରେ ଠିକ୍ ସମୟରେ ସ୍ଥଳ ସେନାଙ୍କ ଠାରୁ ମିଳିଥିବା ସହାୟତାରେ ଜଣେ ଗର୍ଭବତୀ ମହିଳା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସ୍ଥଳସେନା ଠିକ୍ ସମୟରେ ମହିଳାଙ୍କ ସହାୟତା ପାଇଁ ସାମନାକୁ ଆସିଲେ ଓ ତାଙ୍କୁ ଉତ୍ତର କାଶ୍ମୀରର ବାନ୍ଦିପୁରା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଲେ । ଅଧିକାରୀଙ୍କ କହିବାନୁସାରେ, ବାନ୍ଦିପୁରାରେ ସ୍ଥଳସେନାର ପନାର ଶିବିରର କମ୍ପାନୀ କମାଣ୍ଡରଙ୍କୁ ଗାଁର ଜଣେ ଲୋକ ଫୋନ୍ କଲେ ଓ ସେ ନିଜ ଗର୍ଭବତୀ ପତ୍ନୀ ଗୁଲଶାନା ବେଗମଙ୍କୁ ହସପିଟାଲ ନେଇଯିବାକୁ ସେନା ଠାରୁ ସହାୟତା ମାଗିଲେ ।

ବରଫପାତ କାରଣରୁ ପାଗ ବହୁତ ଖରାପ ଥିଲା । ତାପମାତ୍ରା ମାଇନସ ୭ ଡିଗ୍ରୀ ସେଲସିୟସ ଥିଲା । ବରଫ ବର୍ଷା କାରଣରୁ ରାସ୍ତା ବରଫରେ ଭର୍ତ୍ତି ଥିଲା, ଯଦ୍ୱାରା ଗାଡି ଯିବା ଆସିବା କରିବା ଅସମ୍ଭବ ହୋଇଯାଇଥିଲା । କିନ୍ତୁ ମହିଳାଙ୍କୁ ହସପିଟାଲ ନେବା ଜରୁରୀ ଥିଲା । ଏମିତିରେ ବାନ୍ଦିପୁରା ଜାତୀୟ ରାଇଫଲର ଯବାନ ପ୍ରବଳ ବରଫପାତ ଓ ରାସ୍ତାରେ ଥିବା ଅସୁବିଧାକୁ ଅତିକ୍ରମ କରି କିଛି ସମୟରେ ମହିଳାଙ୍କ ଘରକୁ ପହଂଚିଗଲେ । ଏବଂ ରାସ୍ତାରେ ଅଣ୍ଟା ପର୍ଯ୍ୟନ୍ତ ଜମି ରହିଥିବା ବରଫକୁ ପାର କରି ତାଙ୍କୁ ଅଢ଼େଇ କିମି ପର୍ଯ୍ୟନ୍ତ ଏକ ଷ୍ଟ୍ରେଚରରେ ନେଇଗଲେ । ତା’ପରେ ସେନାର ଏକ ଆମ୍ବୁଲାନ୍ସ ଦ୍ୱାରା ମହିଳାଙ୍କୁ ବାନ୍ଦିପୁରା ଜିଲ୍ଲା ହସପିଟାଲ ନିଆଗଲା । ମହିଳା ହସପିଟାଲରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହି ଘଟଣା ୮ ଫେବୃୟାରୀର ।