ସେନାକୁ ମନା ସୋସିଆଲ ମିଡିଆ : ସେନା ଦିବସରେ ସ୍ଥଳ ସେନାମୁଖ୍ୟଙ୍କ ସତର୍କବାଣୀ

27

କନକ ବ୍ୟୁରୋ : ପ୍ରଥମେ ଅର୍ଦ୍ଧସାମରିକ ବାହିନୀ ଆଉ ଏହାପରେ ସାମରିକ ବାହିନୀ । କଡା କାନୁନର ପାଚେରୀ ଡେଇଁ ସୋସିଆଲ ମିଡିଆରେ ପହଂଚିଲା ସତ । ସିପାହୀଙ୍କ ମୁହଁରୁ ସାରା ଦେଶ ଶୁଣିଲା ଅଭାବ ଅସୁବିଧା ଓ ନିର୍ଯାତନାର କାହାଣୀ । ସୃଷ୍ଟି ହେଲା ଝଡ । ପ୍ରତିକ୍ରିୟା ପ୍ରକାଶ କଲେ ଗୃହମନ୍ତ୍ରୀ । ତଦନ୍ତ ଆରମ୍ଭ ହେଲା ବିଏସଏଫ୍ ଓ ସିଆରପିଏଫ୍ ଭଳି ଅର୍ଦ୍ଧ ସାମରିକ ବାହିନୀରେ । ହେଲେ ଏ ଭାଇରାଲ ସତକୁ କିନ୍ତୁ ଗ୍ରହଣ କରି ପାରିନଥିଲା ସେନା ବାହିନୀ । ଯେତେବେଳେ ଜଣେ ଜବାନ ନିଜ ଉପରିସ୍ଥ ଅଫିସରଙ୍କ କ୍ରୀତଦାସ ସାଜିଥିବା କଥା କହି ଦେଇଥିଲେ । ଜବାନଙ୍କୁ କୋର୍ଟମାର୍ଶଲ୍ କରିବା ସହ ଏବେ ସ୍ଥଳ ସେନାମୁଖ୍ୟ ଟାଣିଛନ୍ତି ଲକ୍ଷ୍ମଣରେଖା । ସୋସିଆଲ ମିଡିଆରେ ମନ୍ତବ୍ୟ ରଖିଲେ , ଅପରାଧିକ ମାମଲା ରୁଜ୍ଜୁ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ପାଣିଆ ଡାଲିକୁ ପୋଡା ରୁଟି ଦିଆଯାଉଛି ସୀମାର ପ୍ରହରୀଙ୍କୁ । ବିଏସଏଫ୍ ଜବନଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ସିଆରପିଏଫ୍ ଜବାନ ମୁହଁ ଖୋଲିଥିଲେ । ସେନାବାହିନୀ ଭଳି ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କୁ କାହିଁକି ମିଳୁନି ସମାନ ସୁବିଧା ,ସେନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହାପରେ ଜଣେ ଜବାନ ନିଜ ଉପରିସ୍ଥ ଅଫିସରଙ୍କ ବ୍ରିଟିଶ ରାଜକୁ ସାମ୍ନାକୁ ଆଣିଥିଲେ । ଯାହାକୁ ନେଇ ଶକ୍ତ ନିୟମକାନୁନରେ ଗଢା ସାମରିକ ବାହିନୀର ସତ ପଦାକୁ ଆସିଥିଲା ।