ପାକିସ୍ତାନ ମାଟିରେ ଭାରତ ଆଉଥରେ କରିବ କି ସର୍ଜିକାଲ ଷ୍ଟ୍ରାଇକ? ଜାଣନ୍ତୁ ସେନାମୁଖ୍ୟ କଣ କହିଲେ

48

ବାରମ୍ବାର ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ପୁଣି ଥରେ ନିଜର ଅସଲ ଚେହେରା ଦେଖାଇଛି । ଗୋଟିଏ ପଟେ ଶାନ୍ତିର ଆଲୋଚନା କରିବାକୁ ପାକସ୍ତାନ ଚିଠି ଲେଖୁଥିବା ବେଳେ ଅନ୍ୟପଟେ ଭାରତୀୟ ଯବାନଙ୍କୁ ନୃଂଶସ ଭାବେ ହତ୍ୟାରେ ପାକିସ୍ତାନର ଭୂମିକା ସାମ୍ନାକୁ ଆସିଛି । ଆଉ ଏଭଳି ସମୟରେ ଏକ ବଡ ବୟାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନରାଲ ବିପିନ ରାୱତ । ପୁଣିଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ପ୍ରଶ୍ନ ଉପରେ ଜେନେରାଲ ରାୱତ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ହେଉଛି ସରପ୍ରାଇଜ ଅସ୍ତ୍ର । ତେଣୁ ଏହାକୁ ସରପ୍ରାଇଜ ଭଳି ରହିବାକୁ ଦିଆଯାଉ ବୋଲି ସେ କହିଛନ୍ତି । ଆଉ ଜେନେରାଲ ରାୱତଙ୍କ ଏହି ବୟାନ ହିଁ ସୂଚାଉଛି, ଆଗାମୀ ଦିନରେ ନିଜ ଯବାନଙ୍କ ହତ୍ୟାର ପ୍ରତିଶୋଧ ନେବ ଭାରତୀୟ ସେନା । ଆଉ ଜେନେରାଲ ରାୱତଙ୍କ ଏହି ବୟାନକୁ ଦେଶବାସୀ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।

ବିଏସଏଫ ଯବାନଙ୍କ ହତ୍ୟାକୁ ନେଇ ପାକିସ୍ତାନକୁ ଲକ୍ଷ୍ୟ କରି କଡା ପ୍ରତିକ୍ରିୟା ଦେଇଛନ୍ତି ଜେନେରାଲ ରାୱତ । ସେ ସିଧାସଳଖ କହିଛନ୍ତି ପାକିସ୍ତାନକୁ ତା ନିଜ ଭାଷାରେ ଜବାବ ଦେବାର ସମୟ ଆସିଯାଇଛି । ପାକିସ୍ତାନ ଅଧିକାଂଶ ସମୟ ସୀମାରେ ଏଭଳି ହରକତ କରୁଛି । ଏହା ପାକିସ୍ତାନ ସେନା ପାଇଁ ନୂଆ ନୁହେଁ । ତେଣୁ ସେହି ଭାଷାରେ ପାକିସ୍ତାନକୁ ଜବାବ ଦେବାକୁ କହିଛନ୍ତି ଜେନେରାଲ ରାୱତ । ଏହାଛଡା ସେ କହିଛନ୍ତି, କାଶ୍ମୀରରେ ସର୍ବଦା ପାକିସ୍ତାନ ଅଶାନ୍ତି ସୃଷ୍ଟି କରୁଛି । ଘାଟି ଅଞ୍ଚଳର ଯୁବକଙ୍କୁ ଭ୍ରମିତ କରି ଆତଙ୍କବାଦୀ କାର୍ଯ୍ୟରେ ଲଗାଉଛି ପାକିସ୍ତାନ ।

bipin rawatଏସବୁ ଭିତରେ ସଂଯୁକ୍ତ ରାଷ୍ଟ୍ର ସମ୍ମିଳନୀରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ରଦ୍ଦ ହେବା ପରେ ସରକାରଙ୍କ ଏଭଳି ନିଷ୍ପତିକୁ ସମର୍ଥନ ଜଣାଇଛନ୍ତି ଜେନେରାଲ ରାୱତ । ଆତଙ୍କବାଦୀ ଓ ଶାନ୍ତି ପାଇଁ ଆଲୋଚନା ଏକା ସାଙ୍ଗରେ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ଶାନ୍ତି ଆଲୋଚନା ପୂର୍ବରୁ ପାକିସ୍ତାନ ଏପରି କିଛି କରୁ ଯାହାଫଳରେ ପ୍ରମାଣିତ ହେବ ଯେ, ଆତଙ୍କବାଦୀଙ୍କୁ ଆଉ ପୋତ୍ସାହିତ କରୁନାହିଁ ପାକିସ୍ତାନ । ଏହାପରେ ହିଁ ଶାନ୍ତି ପାଇଁ ଆଲୋଚନା ସମ୍ଭବ ବୋଲି ସେ ସୂଚାଇ ଦେଇଛନ୍ତି । ବିପନ ରାୱତଙ୍କ ବୟାନ ଉପରେ ପାକିସ୍ତାନ କହିଛି ଯେ, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ । କିନ୍ତୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଶାନ୍ତିର ରାସ୍ତାରେ ଚାଲିବାକୁ ପସନ୍ଦ କରିବୁ ।