ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ : ଇମ୍ରାନଙ୍କୁ ରାଜନାଥଙ୍କ ଚେତାବନୀ, ସୁଧୁରିଯାଅ. . . ନହେଲେ ଭାରତୀୟ ସେନା ଦେବ କଡା ଜବାବ୍ 

1,560
କନକ ବ୍ୟୁରୋ : ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ । ପୁଣି ପଣ୍ଡ ହେଲା ପାକର ଅନୁପ୍ରବେଶ ଉଦ୍ୟମ । ଗତକାଲି ରାତିରେ ପୁଂଛରେ ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାରମାଡ ସହ ଗୁଳିମାଡ କରିଛି ପାକିସ୍ତାନ । ଯାହାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ପାକିସ୍ତାନୀ ରେଂଜର୍ସଙ୍କୁ କାଠୁଆ ଜିଲ୍ଲା ହୀରାନଗର ସେକ୍ଟରରେ ଭାରତୀୟ ସେନା ପାଲଟା ଜବାବ ଦେଇଛନ୍ତି । କରମାରା ଗାଁରେ  ପାକିସ୍ତାନୀ ମୋର୍ଟାରର ୩ଟି ଗୁଳିକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ସେନା । ଗତକାଲି ବିଳମ୍ବିତ ରାତିଯାଏଁ ପାକିସ୍ତାନ ରେଂଜର୍ସ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା ।
ପାକିସ୍ତାନୀ ସେନା ପକ୍ଷରୁ ରବିବାର ବିଳମ୍ବିତ ରାତ୍ରିରୁ ଗୁଳିବର୍ଷଣ ଆରମ୍ଭ କରିଦେଇଥିଲା । ଗତକାଲି ଠିକ ସଂଧ୍ୟା ୪ଟା ସମୟରେ  ପାକିସ୍ତାନ ସେନା ପୁଂଛର କିରନୀ ଓ ଶାହାପୁର ସେକ୍ଟରରେ ପ୍ରବଳ ଗୁଳିବର୍ଷଣ ଆରମ୍ଭ କରିଦେଇଥିଲା  ।  ପ୍ରଥମେ ସେନା କ୍ୟାମ୍ପକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲା ପାକିସ୍ତାନ । ଗତ ରବିବାର ମଧ୍ୟ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ପାନେ ଦେଇଥିଲେ ।   ଆତଙ୍କୀ ଶିବିର ନଷ୍ଟ କରିବା ସହ ପାକ ରେଂଜର୍ସଙ୍କ ସମେତ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା  ।
ସେପଟେ ପୁଣି ପାକିସ୍ତାନକୁ ଖୋଲାଖୋଲି ଭାବେ ଚେତାବାନୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ନିୟନ୍ତ୍ରଣ ରେଖା ବା ଏଲଓସିରେ ଲଗାତରଭାବେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାକୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି ରାଜନାଥ । ସେ କହିଛନ୍ତି ଭାରତ କେବେ ବି କୌଣସି ଦେଶ ଉପରେ ହାମଲା କରିନାହିଁ, ନା କାହାର ଏକ ଇଂଚ୍ର ଜମି ଉପରେ ବେଆଇନ କବଜା କରିଛି । ଆମ ଯବାନ ସେମାନଙ୍କୁ ଜବାବ ଦେବାକୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଯେଉଁମାନେ ଭାରତ ଉପରେ ଖରାପ ନଜର ରଖୁଛନ୍ତି । ଗତ କିଛି ଦିନ ହେବ ଲଗାତର ଭାବେ ପାକିସ୍ତାନ ଏଲଓସିରେ ଅନୁପ୍ରବେଶ ଉଦ୍ୟମ କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି  । ଆଉ ଏହାର ମୁହଁତୋଡ ଜବାବ ଭାରତୀୟ ସେନା ପକ୍ଷରୁ ମଧ୍ୟ ଦିଆଯାଉଛି । ନିକଟରେ ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଏହା ଉପରେ ସାମ୍ବାଦିକ ମାନେ ପ୍ରତିରକ୍ଷାମନ୍ତ୍ରୀ ପ୍ରଶ୍ନ କରିବାରୁ ଏହାର ଉତର କିଛି ଏହିପରି ଢଙ୍ଗରେ ରଖିଥିଲେ ରାଜନାଥ ସିଂହ ।