ଶେଷ ପର୍ଯ୍ୟନ୍ତ ପ୍ରତିଶୃତି ମିଳିଥିଲା, କିନ୍ତୁ ଟିକେଟ ଘୋଷଣା ହେବା ପରେ ତାଲିକାରେ ନାଁ ନଥିଲା । ପୁଷ୍ପେନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ କଳାହାଣ୍ଡି ସାଂସଦ ଅର୍କକେଶରୀ

886

କନକ ବ୍ୟୁରୋ : କଳହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି । ଦିଲ୍ଲୀ ଲଢେଇ ପାଇଁ କଳାହାଣ୍ଡିରୁ ବିଜେଡି ସିପାହୀ ଭାବେ ଯୁଦ୍ଧ ମୈଦାନକୁ ଓହ୍ଲାଇବେ ଧର୍ମଗଡରୁ ଦୁଇ ଦୁଇଥର ବିଧାୟକ ଥିବା ପୁଷ୍ପେନ୍ଦ୍ର । ତେବେ ପୁଷ୍ପେନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ସବୁଠୁ ଅଧିକ ଆଶ୍ଚର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସାଂସଦ ଥିବା ଅର୍କ କେଶରୀ ଦେଓ । ଏପରିକି ନବୀନଙ୍କ ଏଭଳି ଘୋଷଣା ତାଙ୍କୁ ନିରାଶ କରିଥିବା କହିଛନ୍ତି ଅର୍କକେଶରୀ । କାରଣ କଳାହାଣ୍ଡି ସାଂସଦ ପ୍ରାର୍ଥୀ ହେବାକୁ ପ୍ରମୁଖ ଦାବିଦାର ଥିଲେ ଅର୍କକେଶରୀ ।

କଳାହାଣ୍ଡି ସାଂସଦ ପ୍ରାର୍ଥୀ ଘୋଷଣା ପରେ ଅର୍କକେଶରୀ କହିଛନ୍ତି, ତାଙ୍କୁ ଶେଷ ପର୍ଯ୍ୟନ୍ତ ଟିକେଟ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଯଦି ତାଙ୍କୁ ଦିଆନଯାଏ ତେବେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯିବା ନେଇ ମଧ୍ୟ ଗ୍ରୀନ୍ ସିଗନାଲ ଦେଇଥିଲେ ବିଜେଡି ସୁପ୍ରିମୋ । କିନ୍ତୁ ଏହାପରେ ମଧ୍ୟ ଯେଉଁଭଳି ଭାବେ ତାଙ୍କର ଟିକେଟ କାଟିଦିଆଗଲା ତାହା ନିରାଶ କରିଛି ବୋଲି କହିଛନ୍ତି ଅର୍କକେଶରୀ । ଏପରି ଦଳ ଏଠାରେ ପୁଷ୍ପେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି, କିନ୍ତୁ ତାଙ୍କ ନେତୃତ୍ୱରେ ହିଁ ଦଳ ଗତ ପଞ୍ଚାୟତ ନିର୍ବାଚନରେ ପରାଜୟବରଣ କରିଥିଲା ।

ଅର୍କକେଶରୀ କହିଛନ୍ତି, ସେ ବିଜେଡିରେ ଯୋଗ ଦେବା ପରେ ଦଳ ଏଠାରେ ପ୍ରଥମ ଥର ପାଇଁ ଖାତା ଖୋଲିଥିଲା । ଏପରିକି ସେ ଦଳକୁ ଆସିବା ପରେ କଳାହାଣ୍ଡି ମ୍ୟୁନିସପାଲଟି ନିର୍ବାଚନରେ ମଧ୍ୟ ଦଳ ସଫଳତା ହାସଲ କରିଥିଲା । କିନ୍ତୁ ଏହାପରେ ମଧ୍ୟ ଟିକେଟ କାଟିଦେବା ତାଙ୍କୁ ଶକ୍ତ ଧକ୍କା ଦେଇଛି । ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଅର୍କକେଶରୀ କହିଛନ୍ତି, ପ୍ରାର୍ଥୀପତ୍ର ଦାଖଲ ଶେଷ ହେବାକୁ ଆହୁରି ୫ ଦିନ ବାକି ଅଛି । କର୍ମୀ ଓ ଶୁଭେଚ୍ଛୁ ମାନଙ୍କର ମତାମତ ନିଆଯିବା ସହ ଆଲୋଚନା ଚାଲିଛି । ତେଣୁ ଖୁବଶୀଘ୍ର କୌଣସି ନିଷ୍ପତି ନେବେ ବୋଲି ସଂକେତ ଦେଇଛନ୍ତି ଅର୍କକେଶରୀ । ଯଦି ଅର୍କକେଶରୀ ଦଳ ଛାଡନ୍ତି ତେବେ କଳାହାଣ୍ଡି ରାଜନୈତିକ ଗଣିତ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯିବାର ସମ୍ଭାବନା ରହିଛି । ଏହାପୂର୍ବରୁ ୨୦୧୩ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ଅର୍କକେଶରୀ ଓ ୨୦୧୪ରେ ବିଜେଡି ଟିକେଟରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।