ମୈଦାନରେ ଚମକିଲେ ସଚିନଙ୍କ ପୁଅ ଅର୍ଜୁନ! ଗୁଜରାଟ ବିପକ୍ଷରେ କଲେ ଘାତକ ବୋଲିଂ, ୫ ୱିକେଟ ନେଇ ମୁମ୍ବାଇକୁ ଦେଲେ ସହଜ ବିଜୟ

31

କ୍ରିକେଟ ମୈଦାନରେ ଚମକିଲେ ଅର୍ଜୁନ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପରେ ଏବେ ତାଙ୍କ ପୁଅ ଅର୍ଜୁନ ନିଜ ଟିମ୍ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଅର୍ଜୁନ ଦିନକୁ ଦିନ ନିଜର ଦମଦାର ପ୍ରଦର୍ଶନ ସହ କ୍ରିକେଟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଆଉ ଏଭଳି ସମୟରେ ମୁମ୍ବାଇର ଅଣ୍ଡର-୧୯ ପାଇଁ ଖେଳୁଥିବା ଅର୍ଜୁନ ଭିନୁ ମଙ୍କଡ଼ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଗୁଜରାଟ ବିପକ୍ଷ ମ୍ୟାଚରେ ନିଜର ଶାଣିତ ବୋଲିଂ ବଳରେ ୫ଟି ୱିକେଟ ନେଇ ଦଳକୁ ଦେଇଛନ୍ତି ଶାନଦାର ବିଜୟ ।

ଏହି ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ୩୦ ରନ ଦେଇ ୫ଟି ୱିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି । ନିଜର ବୋଲିଂ ସ୍ପେଲରେ ମାତ୍ର ୮.୧ ଓଭର ପକାଇଥିବା ଅର୍ଜୁନ ଗୋଟିଏ ମେଡେନ ଓଭର ମଧ୍ୟ ପକାଇଥିଲେ । ଅର୍ଜୁନଙ୍କ ଦମଦାର ବୋଲିଂ ଆଗରେ ଗୁଜରାଟ ଟିମ୍ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଥିଲା ।

୧୫୦ ରନର ଛୋଟିଆ ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ମାତ୍ର ୩୮ ଓଭରରେ ୧ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ମୁମ୍ବାଇ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ ସୁବେନ ପାରକର ୬୭ ଓ ଦିବ୍ୟାଞ୍ଚ ୪୫ ରନ କରି ଦୃଢ ମୁଳଦୂଆ ପକାଇଥିଲେ । ପରେ ଗୁଜରାଟକୁ ୯ ୱିକେଟରେ ମାତ୍ ଦେଇ ସହଜ ବିଜୟ ହାସଲ କରିଥିଲା ମୁମ୍ବାଇ ଟିମ୍ ।