ଏୟାର ମାର୍ଶାଲ ଅର୍ଜନ ସିଂଙ୍କ ପରଲୋକ: ୧୯୬୫ ମସିହା ପାକିସ୍ତାନ ବିପକ୍ଷ ଯୁଦ୍ଧର ଥିଲେ ହିରୋ

50

କନକ ବ୍ୟୁରୋ: ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧର ମହାନାୟକ ଏୟାର ମାର୍ଶାଲ ଅର୍ଜନ ସିଂହ(୯୮)ଙ୍କ ଗତକାଲି ପରଲୋକ ଘଟିଛି । ଗତକାଲି ସକାଳେ ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ୍ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ଅକ୍ଳାନ୍ତ ଉଦ୍ୟମ ବିଫଳ ହୋଇଥିଲା । ସନ୍ଧ୍ୟା ୭.୪୭ରେ ସେ ପରଲୋକ ଗମନ କରିଥିଲେ । ତାଙ୍କ ମୃତ୍ୟୁରେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହସପିଟାଲକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି । ୧୯୬୫ ଯୁଦ୍ଧରେ ତାଙ୍କର ବୀରତ୍ୱ ଓ ଉଲ୍ଲେଖନୀୟ ସେବାକୁ ଦେଶ ଭୁଲିପାରିବ ନାହିଁ ବୋଲି ମୋଦି ଟ୍ଵିଟ୍ କରିଛନ୍ତି ।

ଅର୍ଜନ ସିଂହ ପାକିସ୍ତାନର ପଞ୍ଜାବ ସ୍ଥିତ ଲ୍ୟାଲପୁରଠାରେ ୧୯୧୯ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୯ ବର୍ଷ ବୟସରେ ସେ ବ୍ରିଟିଶ ସେନାରେ ଯୋଗଦେଇ ପରବର୍ଷ ପାଇଲଟ ଅଫିସର ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟିଶ ସେନାର ପଦାଧିକାରୀଭାବେ ଜାପାନ ସେନା ବିରୋଧରେ ସେ ଅତୁଳନୀୟ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଫ୍ଲାଇଂ କ୍ରସ ସମ୍ମାନ ଦିଆଯାଇଥିଲା । ୧୯୬୫ ଯୁଦ୍ଧ ସମୟରେ ସେ ଭାରତୀୟ ବାୟୁସେନାର ଚିଫ ଅଫ୍ ଷ୍ଟାଫ ରହିଥିଲେ । ତାଙ୍କ ନେତୃତ୍ୱରେ ଭାରତୀୟ ବାୟୁସେନା ପାକ୍ ସେନା ଉପରେ ଆକ୍ରମଣ କରି ଏହାକୁ ଧୂଳିସାତ କରିଥିଲା । ସେ ବିଭିନ୍ନ ଧରଣର ପ୍ରାୟ ୬୦ଟି ବିମାନ ଉଡ଼ାଣ କରିଥିଲେ ।

ତାଙ୍କ ସମୟରେ ସୁପରସୋନିକ ଯୁଦ୍ଧବିମାନ, ଗୁଇନ୍ଦା ପର୍ଯ୍ୟବେକ୍ଷଣକାରୀ ବିମାନ, ଆସଲ୍ଟ ହେଲିକପ୍ଟର, ଅତ୍ୟାଧୁନିକ ପରିବହନ ବିମାନ ଆଦି ସାମିଲ ହୋଇ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଥିଲା । ୧୯୬୯ରେ ଅବସର ଗ୍ରହଣ ପରେ ସେ ସ୍ୱିଜରଲାଣ୍ଡ ଓ କେନିୟାରେ ଭାରତର ହାଇକମିଶନର ରହିଥିଲେ । ୧୯୮୯ରେ ସେ ଦିଲ୍ଲୀର ଉପରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ । ୨୦୦୨ରେ ସେ ଫାଇଭ୍-ଷ୍ଟାର ରାଙ୍କକୁ ପଦୋନ୍ନତି ପାଇଥିଲେ । ଏହି ସମ୍ମାନ ପାଇବାରେ ସେଥିଲେ ଭାରତୀୟ ସେନାର ଏକମାତ୍ର ଅଧିକାରୀ। ୨୦୧୬ରେ ତାଙ୍କ ସମ୍ମାନରେ ପଶ୍ଚିମ ବଙ୍ଗର ପାନାଗଡ଼ ବାୟୁସେନା ଘାଟିକୁ ତାଙ୍କ ନାମରେ ନାମିତ କରାଯାଇଥିଲା । ଜୀବିତ ଅବସ୍ଥାରେ ଏଭଳି ସମ୍ମାନ ପାଇବାରେ ସେ ଥିଲେ ପ୍ରଥମ ଭାରତୀୟ ।