ଆସିଥିଲି ଶ୍ରୀମନ୍ଦିର, ଯାଉଛି ମୁଁ ସ୍ୱର୍ଗଦ୍ୱାର ! କାଳିଆ ପାଖକୁ ବାହୁଡିଗଲେ ଭଜନ ସମ୍ରାଟ ଅରବିନ୍ଦ ମୁଦୁଲି, ଓଡ଼ିଆ ଭଜନର ଗୋଟିଏ ଯୁଗର ଘଟିଲା ଅବସାନ

76

କନକ ବ୍ୟୁରୋ : ଓଡ଼ିଆ ଭଜନର ମୁକୁଟ ବିହୀନ ସମ୍ରାଟ ଅରବିନ୍ଦ ମୁଦୁଲିଙ୍କ ପରଲୋକ ଘଟିଛି । ଏହା ସହ ଓଡ଼ିଆ ଭଜନର ଗୋଟିଏ ଯୁଗର ଅବସାନ ଘଟିଛି । ପ୍ରାୟ ତିନି ଶହରୁ ଅଧିକ ଭଜନ ଆଲବମରେ ଗୀତ ଗାଇଥିଲେ ଏହି ବିଶିଷ୍ଟ କଣ୍ଠଶିଳ୍ପୀ । ୫୬ ବର୍ଷ ବୟସରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଯାଇଛି । ସ୍ୱର୍ଗଦ୍ୱାରରେ ହୋଇଛି ତାଙ୍କର ଶେଷକୃତ୍ୟ । ଜଗନ୍ନାଥଙ୍କ ଏହି ପରମ ସେବକଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ ଅର୍ପଣ କରିଛନ୍ତି ଶ୍ରୀମନ୍ଦିରର ସେବାୟତ ।

ସ୍ୱର୍ଗଦ୍ୱାରର ଅଫେରା ବାଟର ଯାତ୍ରୀ ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି । ଯେଉଁ ସ୍ୱର ଲକ୍ଷ ଲକ୍ଷ ଓଡ଼ିଆ ଜନପ୍ରାଣକୁ ଭକ୍ତି ଭାବଧାରାରେ ବୁଡ଼ାଇ ରଖୁଥିଲା, ତାହା ଆଜି ସବୁଦିନ ପାଇଁ ନିରବୀ ଯାଇଛି । ଭଜନରେ ସ୍ୱକୀୟ ଧାରା ସୃଷ୍ଟି କରିଥିବା ଅରବିନ୍ଦ ମୁଦୁଲିଙ୍କର ୫୬ ବର୍ଷ ବୟସରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

ଅରବିନ୍ଦଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଆ ସଂଗୀତ ଜଗତ । ଘରେ ଘରେ ପରିଚିତ ଥିଲା ଅରବିନ୍ଦ ମୁଦୁଲିଙ୍କ ସୁଲଳିତ କଣ୍ଠ ସ୍ୱର । ୩ ଶହରୁ ଅଧିକ ଆଲବମରେ ଭଜନ ଆବୃତି କେବଳ ତାଙ୍କୁ ଖ୍ୟାତି ଆଣି ଦେଇନଥିଲା, ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ଭଜନ ସମ୍ରାଟ ଭିକାରୀ ବଳଙ୍କ ପରେ ସେ ହିଁ ଥିଲେ ଜଗନ୍ନାଥଙ୍କ ଭଜନର ମୁକୁଟ ବିହୀନ ସମ୍ରାଟ । ଏକଧାରାରେ ସେ ଥିଲେ କଣ୍ଠଶିଳ୍ପୀ, ଗୀତିକାର ଓ ସଂଗୀତଜ୍ଞ । ଆଉ ତାଙ୍କର ପରଲୋକରେ ଭକ୍ତି ଯୁଗର ଅବସାନ ଘଟିଛି ବୋଲି କହିଛନ୍ତି କିଛି କଣ୍ଠଶିଳ୍ପୀ ।

ଗୋଟିଏ ସପ୍ତାହ ପରେ ହୋଇଥାନ୍ତା ଅରବିନ୍ଦଙ୍କ ପୁଅ ବାହାଘର । ସେଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିଲେ ସେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ବୁଧବାର ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଲେ । ଡାକ୍ତରଖାନା ନେବା ବାଟରେ ତାଙ୍କ ମୁହଁରେ କେବଳ ଥିଲା ଜଗନ୍ନାଥଙ୍କ ନାଁ ।ଅରବିନ୍ଦଙ୍କ ମୃତଦେହ ପୈତୃକ ବାସଭବନ ବୋଲଗଡ଼ର ଖଣତିରେ କିଛି ସମୟ ରହିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ଶ୍ରୀକ୍ଷେତ୍ରର ପବିତ୍ର ମାଟିରେ ପଂଚଭୁତରେ ଲୀନ ହୋଇଛନ୍ତି ଜଗନ୍ନାଥଙ୍କ ଏହି ବିଶିଷ୍ଟ ସେବକ ।