ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ କସରତ ! ଓଡିଶାରେ ଛତିଶଗଡ ମ୍ୟାଜିକ୍ ପାଇଁ ମନ୍ତ୍ରୀ ଟିଏସ୍ ସିଂଦେଓଙ୍କୁ ମିଳିଲା ଅସ୍ଥାୟୀ ପ୍ରଭାରୀ ଦାୟିତ୍ୱ ।

133

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ କସରତ୍ । ଛତିଶଗଡ଼ର ସଫଳତା ଦୋହରାଇବା ପାଇଁ ଛତିଶଗଡ଼ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଦାୟିତ୍ୱ । ଟିଏସ୍ ସିଂଦେଓ ଏବେ ଛତିଶଗଡ଼ କଂଗ୍ରେସ ସରକାରରେ ମନ୍ତ୍ରୀ ଅଛନ୍ତି । ନିକଟରେ ସେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୂଳ ସ୍ତରର ନେତାଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନୀ ଇସ୍ତାହାର ପାଇଁ କଂଗ୍ରେସ ପକ୍ଷରୁ ହୋଇଥିବା ଜନମତ ସଂଗ୍ରହ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ ଟିଏସ୍ ସିଂଦେଓ ।

ବଡ କଥା ହେଉଛି ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂହଙ୍କ ସହ ମିଳିତ ଭାବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ସିଂଦେଓ । ଏନେଇ ଏଆଇସିସି ପକ୍ଷରୁ ଚିଠି ଜରିଆରେ ରାଜ୍ୟ କଂଗ୍ରେସକୁ ଅବଗତ କରାଯାଇଛି । ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜ୍ୟ କଂଗ୍ରେସ ସେତିକି ନୂଆ ନୂଆ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ପ୍ରାର୍ଥୀ ଚୟନ ପ୍ରକ୍ରିୟା ରେସରେ ମଧ୍ୟ ଦଳ ଆଗୁଆ ରହିଥିବା ବେଳେ ଖୁବ ଶିଘ୍ର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।