ଆପଣ କରିନାହାନ୍ତି କି ରାସନ କାର୍ଡ ? ତେବେ ଘରେ ବସି ଅତି ସହଜରେ କରନ୍ତୁ ଆବେଦନ; କେଉଁଠି, କିଭଳି ଓ କଣ ରହିଛି ସର୍ତ୍ତ, ଜାଣନ୍ତୁ ପୂରା ପ୍ରକ୍ରିୟା

ଆବେଦନ କରିବାର ମାତ୍ର ୩୦ ଦିନ ଭିତରେ ମିଳିବ କାର୍ଡ

19,914

କନକ ବ୍ୟୁରୋ: ଜୁନ ପହିଲାରୁ ଦେଶବ୍ୟାପୀ ଲାଗୁ ହେବାକୁ ଯାଉଛି ୱାନ ନେସନ ୱାନ ରାସନ କାର୍ଡ । ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ମିଳୁଥିବା ରାସନ ସାମଗ୍ରୀ ପାଇବା ପାଇଁ ଏଣିକି ଆଉ ଭୌଗଳିକ ଅବସ୍ଥିତି ବାଧକ ସାଜିବନି । କାହିଁକି ନା ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ବି ଆପଣଙ୍କୁ ଦେଶର ଯେ କୌଣସି ଠିକଣାରୁ ବି ରିହାତି ଦରରେ ଯୋଗାଇ ଦିଆଯିବ ରାସନ ସାମଗ୍ରୀ । ଏନେଇ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ ଘୋଷଣା କରିଥିବା ବେଳେ ଆତ୍ମନିର୍ଭର ଭାରତ ଅଭିଯାନର ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ୱାନ ନେସନ ୱାନ ରାସନ କାର୍ଡକୁ ଗୁରୁତ୍ୱ ଦେଇଥିଲେ ।

ତେବେ ଆଧାର କାର୍ଡ, ପାନକାର୍ଡ ଏବଂ ଭୋଟର ଆଇଡି ଭଳି ରାସନ କାର୍ଡକୁ ମଧ୍ୟ ବର୍ତ୍ତମାନ ସମୟରେ ଏକ ଜରୁରୀ ଦସ୍ତାବିଜ ଭାବେ ଗ୍ରହଣ କରାଯାଉଛି । ଯେଉଁଠି ଗୋଟିଏ ପଟେ ଲୋକଙ୍କୁ ସରକାରଙ୍କ ତରଫରୁ ରାସନ ଯୋଗାଇ ଦିଆଯାଉଛି, ସେଇଠି ଏହାକୁ ଏକ ପରିଚୟ ପତ୍ର ଭାବେ ମଧ୍ୟ କାମରେ ଲଗାଯାଉଛି । ତେବେ ରାସନ କାର୍ଡକୁ ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ଜାରି କରିଥିବା ବେଳେ କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ କାର୍ଡ ଯୋଜନା କାରଣରୁ ମୂଳ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ବି ରାଜ୍ୟରେ ରହିଲେ ବି ହିତାଧିକାରୀ ନିଜ ରାସନ କାର୍ଡରୁ ରାସନ ସାମଗ୍ରୀ ନେଇପାରିବେ ।

ଯଦି ଆପଣଙ୍କର ରାସନ କାର୍ଡ ନାହିଁ କି, ଆପଣ ଏପର୍ଯ୍ୟନ୍ତ ରାସନ କାର୍ଡ କରି ନାହାନ୍ତି ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଏବେ କୌଣସି ବି ବ୍ୟକ୍ତି ନିଜ ଘରେ ବସି ଅନଲାଇନ ଆବେଦନ କରି ବନାଇପାରିବେ ରାସନ କାର୍ଡ । ଏଥିପାଇଁ ସବୁ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ୱେବସାଇଟ୍ ଆରମ୍ଭ କରାଯାଇଛି । ଯାହା ଜରିଆରେ ଆପଣ ଆପଣଙ୍କ ଘରୁ ଥାଇ ହିଁ ରାସନ କାର୍ଡ ପାଇଁ ଆବେଦନ କରିପାରିବେ । ତେବେ ରାସନ କାର୍ଡ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ହେଲା ବିପିଏଲ କାଟାଗୋରୀ ଏବଂ ଅନ୍ୟଟି ହେଉଛି ବିନା ବିପିଏଲ କାଟାଗୋରୀ । ତେବେ ଆୟ ହିସାବରେ ଆପଣ କେଉଁ ରାସନ କାର୍ଡ ପାଇଁ ଆବେଦନ କରିବେ ସେନେଇ ମଧ୍ୟ ଚୟନ କରିପାରିବେ ।

ରାସନ କାର୍ଡ ପାଇଁ କଣ ରହିଛି ସର୍ତ୍ତ ?

କୌଣସି ବି ଭାରତୀୟ ନାଗରିକ, ଯିଏକି ୧୮ ବର୍ଷରୁ ଅଧିକ ବର୍ଷ ବୟସର ହୋଇଥିବେ ସେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ । ଏଥିପାଇଁ ନିମ୍ନଲିଖିତ ଯୋଗ୍ୟତାର ସର୍ତ୍ତ ରଖାଯାଇଛି…

• ରାସନକାର୍ଡ ବନାଇବାକୁ ହେଲେ ଉକ୍ତ ବ୍ୟକ୍ତି ବିଶେଷ ଜଣେ ଭାରତୀୟ ନାଗରିକ ହୋଇଥିବା ଜରୁରୀ

• ସଂପୃ୍କ୍ତ ବ୍ୟକ୍ତିଙ୍କ ନିକଟରେ ଅନ୍ୟ କୌଣସି ରାଜ୍ୟର ରାସନ କାର୍ଡ ରହିନଥିବା ଦରକାର

• ଯାହା ନାଁରେ ରାସନ କାର୍ଡ ତିଆରି ହେଉଛି, ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଜରୁରୀ

• ୧୮ ବର୍ଷର ପିଲାର ନାଁ ବାପାମାଆଙ୍କ ରାସନ କାର୍ଡରେ ସାମିଲ କରାଯାଏ

• ଗୋଟିଏ ପରିବାରରେ ଯେଉଁ ସଦସ୍ୟମାନଙ୍କୁ ସାମିଲ କରାଯାଉଛି, ସେ ପରିବାରର ମୁଖିଆଙ୍କ ନିକଟ ସଂପର୍କୀୟ ହୋଇଥିବା ଦରକାର

• ପରିବାରର କୌଣସି ବି ସଦସ୍ୟଙ୍କର ବି ପୂର୍ବରୁ କୌଣସି ରାସନ କାର୍ଡ ନଥିବା ଦରକାର

କିଭଳି କରିବେ ଆବେଦନ?

ଉଦାହରଣ ସ୍ୱରୂପ, ଯଦି ଆପଣ ଓଡିଶାରେ ରହୁଛନ୍ତି ତେବେ ଆପଣଙ୍କୁ http://www.foododisha.in/eBitaran.asp?lnk=31କୁ ଯାଇ ଆକ୍ସେସ କରି ଫର୍ମ ଡାଉନଲୋଡ କରିପାରିବେ । କିମ୍ବା http://www.foododisha.in/କୁ ଯାଇ ମଧ୍ୟ ଫର୍ମ ଆବେଦନ କରିପାରିବେ ।

• ସେହିଭଳି ଆବେଦନକାରୀ ଚାହିଁଲେ ରାସନ କାର୍ଡ ପାଇଁ କମନ ସର୍ଭିସ ସେଂଟରକୁ ଯାଇ ମଧ୍ୟ ଆବେଦନ କରିପାରିବେ

• ରାସନ କାର୍ଡ ବନାଇବା ପାଇଁ ଆଇଡି ପ୍ରୁଫ ଭାବେ ଆପଣ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ ଦେଇପାରିବେ

• ଯଦି ଆପଣଙ୍କ ପାଖରେ କୌଣସି କାର୍ଡ ନାହିଁ ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୌଣସି ବି ପରିଚୟ ପତ୍ର ତଥା ଆଇଡି କାର୍ଡ, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଇପାରିବେ ।

• ଆପଣଙ୍କୁ ରାସନ କାର୍ଡ ଆବେଦନ କରିବା ସହିତ ୫ରୁ ୪୫ ଟଙ୍କା ଫିସ ଦେବାକୁ ହେବ

• ଆପ୍ଲିକେସନ ସବମିଟ ହେବା ପରେ ଏହାକୁ ଫିଲ୍ଡ ଭେରିଫିକେସନ ପାଇଁ ପଠାଯିବ ଏବଂ ଅଫିସିଆଲ ଫର୍ମରେ ଭରିଥିବା ସୂଚନାକୁ ଯାଂଚ କରାଯିବ ।

• ତେବେ ଯାଂଚ ପ୍ରକ୍ରିୟା ସଠିକ୍ ହୋଇଥିଲେ ଆପଣଙ୍କୁ ୩୦ ଦିନ ଭିତରେ ରାସନ କାର୍ଡ ଜାରି କରିଦିଆଯିବ ।