ଚକ୍ ଚକ୍ ନାଲି ସେଓ ଆପଣଙ୍କ ପାଇଁ ଆଣିପାରେ ବିପଦ ! ସେଓରେ ଦିଆଯାଉଛି ମହମ ପ୍ରଲେପ, ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଧରିଲା ସତ

48

କନକ ବ୍ୟୁରୋ : ନାଲି ସେଓକୁ ସାବଧାନ । ଫଳ ବଜାର ସହିତ ପ୍ରତ୍ୟେକ ପରିବାରରେ ଏହି ସେଓର ଚାହିଦା ବେଶୀ । କୁହାଯାଏ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ଦେହ ସୁସ୍ଥ ରହିବ ଓ ଆପଣଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ବଜାର , ମଲ ଓ ସବୁ ଦେକାନରେ ଏବେ ମିଳୁଛି ଚକଚକିଆ ସେଓ । କିନ୍ତୁ ଏହି ଆପଣଙ୍କ ଶରୀର ପାଇଁ କେତେ ସୁରକ୍ଷିତ ତାହା ଆପଣ ଜାଣିଛନ୍ତି କି? । ଏହା ଜାଣିବାକୁ କନ୍ୟକ ନ୍ୟୁଜ କରିଥିଲା ଅନୁସନ୍ଧାନ । ଆଉ ସେଓକୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଜ୍ଞାନଗାରର। ଆଉ ରିପୋର୍ଟରୁ ଯାହା ଆସିଲା ତାହା ଚମକାଇବାଭଳି । ଆପଲକୁ ଚମକାଇବା ଲାଗି ୱାକ୍ସ ବା ମହମ ବା ମିନେରାଲ ଅଏଲ ଦିଆଯାଇଥାଏ । ଆଉ ଏହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଜଣାଯାଇଛି । ଆଉ ଦେକାନୀ ବି ସେଓରେ ମହମ ମିଶିବା କଥାକୁ ସ୍ୱୀକାର କରିଛନ୍ତି ।

ନାଲି ସେଓକୁ ନେଇ ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ବିଜ୍ଞାନାଗାରର ରିପୋର୍ଟରେ କ’ଣ ଆସିଛି ?

ନାଲି ସେଓରେ ଷ୍ଟାର୍ଚ ବା ଶ୍ୱେତସାର, କୃତ୍ରିମ ମିଠା, ୱାକ୍ସ ବା ମହମ ବା ମିନେରାଲ୍ ଅଏଲ୍ ଓ ରଙ୍ଗ ମିଶାଇବା ନେଇ ପ୍ରାୟ ୫ଟି ପରୀକ୍ଷା କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ନାଲି ସେଓ ଉପରେ ଆସିଥିବା ରିପୋର୍ଟରେ ସେଓରେ ୱାକ୍ସ ବା ମହମ ବା ମିନେରାଲ୍ ଅଏଲ୍ ଥିବା ନେଇ ପଜିଟିଭ ରିପୋର୍ଟ ଆସିଛି । ଅର୍ଥାତ୍ ନାଲି ସେଓରେ ମହମ ବା ମିନେରାଲ୍ ଅଏଲ୍ ଥିବାର ପ୍ରମାଣ ମିଳିଛି ।

ୱାକ୍ସ ବା ମିନେରାଲ୍ ଅଏଲ୍ କ’ଣ?

ସେଓକୁ ଚକଚକ କରିବା ପାଇଁ ଏପ୍ରକାର ମହମ ବ୍ୟବହାର କରାଯାଇଥାଏ । କିନ୍ତୁ ସାଧାରଣତଃ ଏହି ମହମ ଦୁଇ ପ୍ରକାର ହୋଇଥିବା ବେଳେ ସେଓକୁ ଚକ୍ଚକ୍ କରିବା ପାଇଁ ମର୍ଫୋଲିନ୍ ନାମକ ଏକ ମିନେରାଲ୍ ଅଏଲ୍ ମିଶାଇ ସେଓର ଉପରଭାଗରେ ଦିଆଯାଇଥାଏ । ଏହାଦ୍ୱାରା ବେଶ ଅଧିକ ଦିନ ଧରି ଆପଲ୍କୁ ସତେଜ ରଖାଯାଇପାରେ । ସବୁଠାରୁ ରୋଚକ କଥା ହେଉଛି- ଯେଉଁମାନେ ଏହି ସେଓକୁ ବିକ୍ରି କରୁଛନ୍ତି ସେମାନେ ବି ସେଓରେ ମହମ ମିଶିବା କଥାକୁ ଜାଣିଛନ୍ତି । ବାଣୀବିହାର ଫଳ, ରେଲୱେ ଷ୍ଟେସନ୍ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ମଲ୍, ଆଦି ସ୍ଥାନରକୁ ଆପଲ କିଣାଯାଇଥିଲା ।

ଆଉ ତା’ପରେ ଭୁବନେଶ୍ୱରରେ ଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ବିଜ୍ଞାନାଗାରରେ  ସେଓର ପରୀକ୍ଷା ପାଇଁ ଦିଆଯାଇଥିଲା । ପ୍ରାୟ ୧୫ ଦିନ ପରେ ଆମ ଆସିଲା ରିପୋର୍ଟ ।  ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ସବୁ ନମୁନାରେ ୱାକ୍ସ ବା ମିନେରାଲ୍ ଅଏଲ୍ ରହିଥିବା ଧରାପଡ଼ିଛି । ଅର୍ଥାତ୍ ପଜିଟିଭ୍ ଆସିଛି । ଖାଦ୍ୟ ସୁରକ୍ଷା ଆଇନ, ୨୦୦୬ର ଧାରା ୩.୧ ଅନୁଯାୟୀ ଏହି ଆପଲ୍ ଖାଇବା ଅନସେଫ୍ ଅର୍ଥାତ୍ ଅସୁରକ୍ଷିତ ବା ବିପଦପୂର୍ଣ୍ଣ ।

ଖାଦ୍ୟ ସୁରକ୍ଷା ଆଇନ, ୨୦୧୧ ଅନୁଯାୟୀ ବିପଦପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ କରୁଥିବା ବା ବିକୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏଭଳି ଭୁଲ୍ ପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ୍ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଖାଦ୍ୟ ଅପମିଶ୍ରଣ ଯୋଗୁଁ କାହାର ମୃତ୍ୟୁ ଘଟିଲେ- ଆଜୀବନ କାରାଦଣ୍ଡ ଓ ଅନ୍ୟୂନ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।