ଓଡ଼ିଶା କରୁଛି କରୋନା ମୁକାବିଲା: ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଶ୍ରମିକ ଓ ଗରିବ ଘର ଭଡ଼ାଟିଆଙ୍କୁ ତିନିମାସ ଯାଏଁ ଘରଭଡ଼ା ଛାଡ଼ କର, ନହେଲେ ଘୁଞ୍ଚାଅ ।

3,085

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଶ୍ରମିକ ଓ ଗରିବ ଭଡ଼ାଟିଆଙ୍କ ୩ ମାସର ଘରଭଡ଼ା ଛାଡ଼ ନହେଲେ ଘୁଞ୍ଚାଇବାକୁ ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କାରଣ କରୋନା ମୁକାବିଲା ପାଇଁ ଯେତେବେଳେ ଦେଶବ୍ୟାପୀ ତାଲାବନ୍ଦ ଜାରି ରହିଛି ସେତିକିବେଳେ ଅନେକ କେବଳ ଓଡ଼ିଶା ନୁହେଁ ଦେଶ ମଧ୍ୟ ସମସ୍ୟାରେ ଗତି କରୁଛି । ତେଣୁ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ପରସ୍ପରକୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏପରିକି ବିଶ୍ୱ ମୁକାବିଲା କରୁଥିବା ଏଭଳି ସଙ୍କଟ ସମୟରେ ଘର ଭଡ଼ା ଦେଇ ପାରୁନଥିବା ଶ୍ରମିକ ଓ ଗରିବ ଶ୍ରେଣୀର ଭଡ଼ାଟିଆଙ୍କୁ ମାନବିକତା ଦୃଷ୍ଟିରୁ ଘର ଖାଲି କରିବାକୁ କୁହନ୍ତୁ ନାହିଁ ବୋଲି ଘର ମାଲିକଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ପୂର୍ବରୁ କର୍ମଜୀବୀ ଓ ଦାଦନ ଶ୍ରମିକଙ୍କୁ ଗୋଟିଏ ମାସର ଘରଭଡ଼ା ନମାଗିବାକୁ ତାଗିଦ୍ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଦାଦନ ଶ୍ରମିକ ନିଜ ରାଜ୍ୟ ଓ ସହରକୁ ଯିବା ପାଇଁ ରାସ୍ତାରେ ଭିଡ଼ କରୁଥିବା ବେଳେ କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଛନ୍ତି । ସେହିପରି ଛାତ୍ର ଓ ଶ୍ରମିକଙ୍କୁ ଘର ମାଲିକମାନେ ଏହି ସମୟରେ ଘରୁ ବାହାର କରି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା ।