ମହିଳା ସାମ୍ବାଦିକଙ୍କ ଗାଲରେ ହାତମାରି ବିବାଦରେ ଫସିଗଲେ ତାମିଲନାଡୁ ରାଜ୍ୟପାଳ ! ଯୌନ ଶୋଷଣ ନେଇ ଅଭିଯୋଗର ସଫେଇ ରଖିବାବେଳେ ଆଚରଣ ପାଇଁ ମାଗିଲେ କ୍ଷମା

49

କନକ ବ୍ୟୁରୋ : ହାତ ମାରି କ୍ଷମା ମାଗିଲେ ତାମିଲନାଡୁ ରାଜ୍ୟପାଳ । ମହିଳା ସାମ୍ବାଦିକଙ୍କ ଗାଲ ଆଉଁସି ବିବାଦୀୟ ହୋଇଥିବା ବନୱାରୀ ଲାଲ୍ ପୁରୋହିତ, ଶେଷରେ ତାଙ୍କ ଆଚରଣ ପାଇଁ କ୍ଷମା ମାଗିଛନ୍ତି । ଯୌନ ଶୋଷଣ ଭଳି ସଂଗୀନ ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ରାଜ୍ୟପାଳ ଜଣେ ମହିଳା ପ୍ରଶ୍ନର ଉତ୍ତର ଦେବା ବଦଳରେ ତାଙ୍କ ଗାଲରେ ହାତ ମାରିଥିଲେ । ଆଉ ଏହି ଘଟଣା ପାଇଁ ସମ୍ବିଧାନର ଏକ ଶୀର୍ଷରେ ଥିବା ଜଣେ ବ୍ୟକ୍ତିଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ।

ତାମିଲନାଡୁର ରାଜ୍ୟପାଳବନୱାରୀ ଲାଲ୍ ପୁରୋହିତ, ଯିଏ ସାମ୍ବାଦିକ ସମ୍ମିଳନୀରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଆଉଁସି ଏକ ବଡ ଧରଣର ବିବାଦକୁ ନିମନ୍ତ୍ରଣ ଦେଇଥିଲେ । ଯେଉଁଥିପାଇଁ ସମ୍ବିଧାନର ଏକ ଶୀର୍ଷ ଆସନରେ ଥିବା ଜଣେ ରାଜ୍ୟପାଳଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି ।

ଘଟଣାଟି ବେଶ ବିବାଦୀୟ ହୋଇଥିଲା, ଯେତେବେଳେ ମହିଳା ସାମ୍ବାଦିକ ଟ୍ୱିଟ୍ କରି ଲେଖିଲେ-ମୁଁ ମୋ ମୁହଁକୁ ବାରମ୍ବାର ଧୋଇଲି । ହେଲେ ସେହି ଘଟଣାରୁ ମୁକ୍ତି ପାଇପାରୁନି । ରାଜ୍ୟପାଳ ବନୱାରୀ ପୁରୋହିତଙ୍କ ଆଚରଣ ଯୋଗୁଁ ମୁଁ କ୍ରାଧିତ । ହୁଏତ ଏହା ଆପଣଙ୍କ ପାଇଁ ପ୍ରଶଂସା କରିବାର ମଧ୍ୟମ ଏବଂ ଜେଜେବାପା ଭଳି ଆଚରଣ ହୋଇପାରେ, ମାତ୍ର ମୋ ଦୃଷ୍ଟିରେ ଏହା ଭୁଲ । ଆଉ ଏହି ଟ୍ୱିଟ୍ ପରେ ବିବାଦ ମୁଣ୍ଡ ଟେକିଥିଲା । ଘଟଣାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଜନତା । ରାଜ୍ୟପାଳଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଗଲା ।

TAMILNADU GOVERNER

କେଉଁ ଭାବନା ରଖି ରାଜ୍ୟପାଳ ମହିଳା ସାମ୍ବାଦିକଙ୍କ ଗାଲକୁ ଆଉଁସିଥିଲେ ସେନେଇ ରାଜ୍ୟପାଳ ସ୍ପଷ୍ଟୀକରଣ ରଖିଛନ୍ତି ସତ, ହେଲେ ଜଣେ ରାଜ୍ୟପାଳ ଜନତାକୁ କ୍ଷମାମାଗିବା ଭଳି ଏକ ବିରଳ ଘଟଣା ଘଟିିଛି ତାମିଲନାଡୁରେ । ବଡ କଥା ହେଉଛି-ଏଭଳି ଏକ ଘଟଣା ଠିକ୍ ସେତିକି ବେଳେ ଘଟିଥିଲା, ଯେତେବେଳେ ଯୌନ ଶୋଷଣ ମାମଲା ନେଇ ରାଜ୍ୟପାଳ ବନୱାରୀ ଲାଲ୍ ରାଜଭବନରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ । ସାମ୍ବାଦିକ ସମ୍ବିଳନୀ ପଛରେ ଥିଲା ଏକ ଯୌନ ଶୋଷଣର କାହାଣୀ ।

ଦେବାଙ୍ଗ ଆର୍ଟସ୍ କଲେଜର ଜଣେ ମହିଳା ପ୍ରଫେସର, ଛାତ୍ରୀମାନଙ୍କୁ ଭଲ ନମ୍ବର ରଖିବାକୁ ହେଲେ ଅଧିକାରୀମାନଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଅଧ୍ୟାପିକା ଜଣକ, ରାଜ୍ୟପାଳଙ୍କ ଖାସ୍ ଲୋକ ବୋଲି ଦାବି କରି ଆସୁଥିଲେ । ଯାହାକୁ ନେଇ ବିବାଦ ହେବା ପରେ ରାଜ୍ୟପାଳଙ୍କୁ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲେ । ଯୌନ ଶୋଷଣ ମାମଲାର ତଦନ୍ତ ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଉଥିବା ରାଜ୍ୟପାଳ, ସାମ୍ବାଦିକ ସମ୍ମିଳନୀ ପରେ ଏମିତି ଏକ ଆଚରଣ କଲେ, ଯାହା ଖୋଦ୍ ତାଙ୍କୁ ହରଡଘଣାକୁ ଟାଣିନେଲା ।