କିଡନୀ ଚୋରି ମାମଲାରେ ଅଡୁଆ ବଢିବା ପରେ ସ୍ପଷ୍ଟୀକରଣ ରଖିଲା ଆପୋଲ ହସ୍ପିଟାଲ । କହିଲା, ଶୁଣିଲେନି ଏନଏଚଆରସି, ସବୁ ତଥ୍ୟ ନେଇ ହାଇକୋର୍ଟକୁ ଯିବୁ ।

302

କନକ ବ୍ୟୁରୋ : ବହୁ ବିବାଦ ପରେ ଶେଷରେ ସ୍ପଷ୍ଟୀକରଣ ରଖିଲା ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ । କିଡନୀ ଚୋରି ମାମଲାରେ ଆପୋଲ ହସ୍ପିଟାଲର ଅଡୁଆ ବଢିବା ପରେ ଶେଷରେ ମୁହଁ ଖୋଲିଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ । କର୍ତ୍ତୃପକ୍ଷ କହିଛନ୍ତି, ‘ଏନଏଚଆରସିରେ ଆମ ପକ୍ଷ ଶୁଣା ଯାଇନାହିଁ । ଏପରିକି ଆମକୁ ଏନଏଚଆରସିକୁ ଡକାଯାଇ ନାହିଁ। ଆମେ ଏନେଇ ହାଇକୋର୍ଟ ଯିବୁ। ଏପର୍ୟ୍ୟନ୍ତ ସୁଦ୍ଧା ଏନଏଚଆରସିଙ୍କ ନୋଟିସ ଆମ ପାଖକୁ ଆସି ନାହିଁ ।

ଆପୋଲ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ । ମେଡିକାଲର ପଞ୍ଜିକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି । ସେହିପରି ପୀଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଆପୋଲୋ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିସନ । କିଡନୀ ଚୋରି ଅଭିଯୋଗକୁ ନେଇ ଆପୋଲୋ ରଖିଥିବା ଯୁକ୍ତିକୁ ଖାରଜ କରିଦେଇଛନ୍ତି କମିସନ ।

ପୂର୍ବରୁ ଆପୋଲୋର ପଞ୍ଜୀକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିନଥିଲେ । ଏବେ କମିସନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ନିର୍ଦ୍ଦେଶ ଦେବା ପରେ ଉଭୟ ସରକାର ଓ ଆପୋଲୋ ହସ୍ପିଟାଲ ଅଡୁଆରେ ପଡିଛନ୍ତି ।

୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ଦୋରାଙ୍କୁ ଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଏନେଇ ୨୦୧୬ରେ ଜାନୁୟାରୀ ୩ତାରିଖରେ ଅନିଲ ବରଗଜ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ।