ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିପାରନ୍ତି ଅପରାଜିତା ! ଇଙ୍ଗିତ କଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ

343

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ପଦ୍ମ ଧରିବେ ଅପରାଜିତା । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ଅପରାଜିତା ଷଡଙ୍ଗୀ । ଏହି ମିଶ୍ରଣ ପର୍ବରେ ବିଜେପିର ତୁଙ୍ଗ ନେତା ମାନେ ସାମିଲ ହେବେ ବୋଲି ଜଣାପଡିଛି । ତେବେ କେଉଁ ଆସନରୁ ଅପରାଜିତା ପ୍ରାର୍ଥୀ ହେବେ ସେନେଇ କିଛି ସ୍ପଷ୍ଟ ହୋଇନଥିଲା ।

ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହେବା ନେଇ ଖବର ଆସିବା ପରେ ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି । ଭୁବନେଶ୍ୱର ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ । ବିଶ୍ୱଭୂଷଣ କହିଛନ୍ତି, ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ବର୍ତ୍ତମାନ ଭୁବନେଶ୍ୱର ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ପୃଥ୍ୱୀରାଜ ଚିଲିକା ବିଧାନସଭା ଆସନରୁ ଲଢିପାରନ୍ତି ବୋଲି ବିଶ୍ୱଭୂଷଣ କହିଛନ୍ତି ।

ତେବେ ବିଜେପିରେ ମିଶିଲେ ଦଳକୁ ନିଶ୍ଚିତ ଫାଇଦା ହେବ ବୋଲି କହିଛନ୍ତି ବିଶ୍ୱଭୂଷଣ । କାରଣ ସେ ଭୁବନେଶ୍ୱରରେ ଯେପରି କାମ କରିଛନ୍ତି, ସେକଥା ସମେସ୍ତ ଜାଣନ୍ତି । ସାଧାରଣ ଲୋକଙ୍କ ସହ ମିଶିବା ଓ ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ସେ ଅନେକ ବିକାଶମୂଳକ କାମ କରିଛନ୍ତି । ତାଙ୍କୁ ଯେଉଁ ଯେଉଁ ବିଭାଗ ଦାୟିତ୍ୱ ଦିଆଯାଇଥିଲା ସେ ଖୁବ୍ ଭଲରେ କାମ କରିଛନ୍ତି । ସେ ଦୃଷ୍ଟିରୁ ଲୋକେ ତାଙ୍କୁ ପସନ୍ଦ କରନ୍ତି । ତେବେ ତାଙ୍କର ପ୍ରତିଷ୍ଠା ଓ କାମ ପାଇଁ ସମେସ୍ତ ସ୍ୱୀକାର କରିବେ ବୋଲି କହିଛନ୍ତି ବିଶ୍ୱଭୂଷଣ ।