ଭୁବନେଶ୍ୱର ସାଂସଦଙ୍କୁ ବ୍ଲାକସ୍ପଟ୍ ଚିନ୍ତା ! ଦୁର୍ଘଟଣା ପ୍ରବଣ ସ୍ଥାନରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଦାବି

238

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ବାହାରିଲେ ଭୁବନେଶ୍ୱର ସାଂସଦ । ଦୁର୍ଘଟଣା ପ୍ରବଣ ସ୍ଥାନ ବ୍ଲାକସ୍ପଟରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଜାତୀୟ ରାଜପଥ ଦେଇ ଯାଉଥିବା ହଂସପାଳ ଠାରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ଏନେଇ ବିଚାର କରିବାକୁ ଦାବି ପତ୍ର ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଏପରିକି ଦିନକୁ ଦିନ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ଜାତୀୟ ରାଜପଥ ଗୁଡ଼ିକରେ ଏହା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି । ଏପରିକି ନିକଟରେ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ଜାତୀୟ ରାଜପଥରେ ଯାଉଥିବା ହଂସପାଳକୁ ବ୍ଲାକସ୍ପଟ୍ ଭାବେ ଚିହ୍ନ କରାଯାଇଥିଲା । ଗତ କିଛି ବର୍ଷ ହେବ ସେଠାରେ ମାତ୍ରାଧିକ ଦୁର୍ଘଟଣା ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇ ଅବଗତ କରାଇଛନ୍ତି ଅପରାଜିତା ।

ଅନ୍ୟପଟେ ଏନେଇ ଖୁବଶୀଘ୍ର ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ତେବେ ଏହି ଫ୍ଲାଏ ଓଭର ବ୍ରିଜ୍ ହେଲେ ସମ୍ପୂର୍ଣ୍ଣ ଉତ୍ତର ଭୁବନେଶ୍ୱରବାସୀ ଏବଂ ଦୂରଦୁରାନ୍ତରୁ ଜାତୀୟ ରାଜପଥ ହଂସପାଳ ଦେଇ ଯାତାୟତ କରୁଥିବା ଗାଡ଼ି ଚାଳକମାନଙ୍କ ପାଇଁ ସହାୟକ ହେବ । ଏପରିକି ଏହାଦ୍ୱାରା ବଡ଼ ବଡ଼ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇ ହୋଇପାରିବ ବୋଲି ଦାବି ପତ୍ରରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।