ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜୟ ପାଇଁ ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା, ମିଳିମିଶି କାମ କରିବାକୁ ଦେଲେ ପ୍ରତିଶୃତି ।

652

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱରର ନବନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହା ତାଙ୍କର ଥିଲା ପ୍ରଥମ ସାକ୍ଷାତ । ତେବେ ଏହି ସାକ୍ଷାତକାରକୁ ସେ କେବଳ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି । ବିଜୟୀ ହେବା ପରେ ସମସ୍ତଙ୍କୁ ଭେଟି ସେ କୃତଜ୍ଞତା ଜଣାଉଥିବା କହିଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ଯାହା ସହଯୋଗ ଆବଶ୍ୟକ ଜଣେ ସାଂସଦ ଭାବେ ସେ ତାହା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଅପରାଜିତା । ବିକାଶରେ କୌଣସି ଦଳ ନଥାଏ, ତେଣୁ ପରସ୍ପର ମିଳିମିଶି କାମ କରିବେ ବୋଲି କହିଛନ୍ତି ଅପରାଜିତା ।

ଚଳିତ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ କଡା ମୁକାବିଲାରେ ପରାସ୍ତ କରି ଭୁବନେଶ୍ୱରରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ଅପରାଜିତା । ଏପରିକି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇଥିଲେ ଅପରାଜିତା । ଭାରତୀୟ ପ୍ରଶାସନିକ ସେବାରେ ଥିବା ଅପରାଜିତା ନିର୍ବାଚନ ପୂର୍ବରୁ ଚାକିରୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ସହ ବିଜେପିରେ ସାମିଲ ହୋଇଥିଲେ ଏବଂ ଦଳ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ଆସନରେ ପ୍ରାର୍ଥୀ କରାଯାଇଥିଲା ।