୫ଟି ରାଜ୍ୟରେ ବିଜେପିର ଖରାପ ପ୍ରଦର୍ଶନ ନେଇ ମୁହଁ ଖୋଲିଲେ ଅପରାଜିତା ! କହିଲେ, ଏହା ପରାଜୟ ନୁହେଁ ପରିବର୍ତ୍ତନର ଏକ ପ୍ରକ୍ରିୟା

1,228

କନକ ବ୍ୟୁରୋ : ୫ଟି ରାଜ୍ୟର ହୋଇଥିବା ନିର୍ବାଚନରେ ମାତ ଖାଇଛି ବିଜେପି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିର ପରାଜୟର କାରଣ ଖୋଜା ଯାଉଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଦଳରେ ସଜ ସଜ ମିଶିଥିବା ଅପରାଜିତା ଷଡଙ୍ଗୀ । ୩ଟି ବିଜେପି ଶାସିତ ରାଜ୍ୟରେ ଦଳ ପରାସ୍ତ ହୋଇଥିଲେ ମଧ୍ୟ ଏହାକୁ ପରାଜୟ ନ ଭାବି ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପ୍ରଶାସିକାରୁ ପଲଟିସିଆନ ପାଲଟିଥିବା ଅପରାଜିତା ।

୫ଟି ରାଜ୍ୟରେ ବିଜେପିର ପରାଜୟକୁ ଭିନ୍ନ ଦୃଷ୍ଟିକୋଣରେ ଦେଖୁଥିବା ଅପରାଜିତା କହିଛନ୍ତି, ଏହା ପରାଜୟ ନୁହେଁ । ଗଣତନ୍ତ୍ରରେ ପରିବର୍ତ୍ତନର ଏକ ପ୍ରକିୟା ଆଉ ଏହା ହେବା ଦରକାର । ସରକାର ବିରୋଧୀ ହାୱା ପାଇଁ ବିଜେପି ଏହି ୩ଟି ରାଜ୍ୟରେ ଶାସନ କ୍ଷମତା ହରାଇଛି । କିନ୍ତୁ ଏହି ପରାଜୟ ଏକ ବଡ ବାର୍ତ୍ତା ମଧ୍ୟ ଦେଇଛି । କୌଣସି ରାଜ୍ୟରେ ଗୋଟିଏ ଦଳ ଅଧିକ ଦିନ ସରକାରରେ ରହିବା କଥା ନୁହେଁ ଏଭଳି ଏକ ବାର୍ତ୍ତା ସାମ୍ନାକୁ ଆସିଛି । ଏପରିକି ଯେଉଁ ଯେଉଁ ରାଜ୍ୟରେ ଗୋଟିଏ ଲେଖାଏଁ ଦଳ ଅଧିକ ଦିନ ଧରି ସରକାରରେ ରହିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଫଳାଫଳ ଏକ ବଡ ସନ୍ଦେଶ ଆଣିଛି ।

ଏହି ଫଳାଫଳ ଏକ ପରିବର୍ତ୍ତନର ସନ୍ଦେଶ ଏକଥା ସାଧାରଣ ଜନତା ବୁଝିସାରିଲେଣି । ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ଓଡିଶା ଉପରେ ମଧ୍ୟ ପଡିବ ବୋଲି କହିଛନ୍ତି ଅପରାଜିତା । ଏପରିିକି ଓଡିଶାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା ବାନ୍ଧି ବସିଛନ୍ତି ଅପରାଜିତା । ଏହାଛଡା ଯେ କୌଣସି ରାଜ୍ୟରେ ବିଜେପି ସରକାର ହିଁ ସୁଶାସନ ଦେଇପାରିବ । ଆଉ ଅପରାଜିତା ଏଭଳି ବୟାନ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।