ହାତ ଆଦର୍ଶକୁ ବୁଝି ପାରିଲେନି ଟିକି ଅପା, ପଦ୍ମ ପୋଖରୀକୁ ଯିବା ଆଗରୁ ବାଣ ମାରିଲା କଂଗ୍ରେସ !

28

କନକ ବ୍ୟୁରୋ : ହାତ ଛାଡି ପଦ୍ମ ଧରିବେ ଅପରାଜିତା ମହାନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ସେ ବିଜେପିରେ ଯୋଗ ଦେବା ସମ୍ଭାବନା ରହିଛି । କଂଗ୍ରେସ କହିଛି, ଦଳର ବିଚାରଧାରା ଓ ଆଦର୍ଶକୁ ବୁଝିପାରିଲେନି ଅପରାଜିତା । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ ଏହି ଓଲିଉଡ ଅଭିନେତ୍ରୀ । ହେଲେ ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ଠାରୁ ହାରିଯାଇଥିଲେ । ଏବେ ରାଜନୀତିକୁ ଫେରିବାକୁ ପୁଣି ଅଂଟା ଭିଡିଛନ୍ତି ଅପରାଜିତା

୪ ବର୍ଷ ତଳେ କଂଗ୍ରେସର ହାତ ଧରି ରାଜନୀତିରେ ପାଦ ଦେଇଥିଲେ ଅପରାଜିତା । ଅଭିନେତାରୁ ବନିଥିଲେ ନେତା । ଆଉ ଏବେ ଏହି ନେତାଙ୍କ ଦଳ ବଦଳ ନେଇ ଜୋରଧରିଛି ଚର୍ଚା । ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ହାତ ଛାଡି ପଦ୍ମ ଧରିବେ ଅପରାଜିତା ମହାନ୍ତି । ଅପରାଜିତାଙ୍କ ଏହି ନିଷ୍ପତି କଂଗ୍ରେସ ଶିବିରରେ ବଡ କମ୍ପନ ସୃଷ୍ଟି କରିନଥିଲେ ବି ଦଳ କହିଛି, କଂଗ୍ରେସର ଆଦର୍ଶ ଓ ବିଚାରଧାରାକୁ ବୁଝିପାରିଲେ ନାହିଁ ଅପରାଜିତା ।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ କଟକରୁ ଲୋକସଭା ନିର୍ବାଚନ ଲଢିଥିଲେ ଅପରାଜିତା । ହେଲେ ନିର୍ବାଚନରେ କାମ କରିନଥିଲା ଓଲିଉଡର ଏହି ବିଶିଷ୍ଟ ଅଭିନେତ୍ରୀଙ୍କ ଲୋକପ୍ରିୟତା । ପ୍ରାୟ ୨ ଲକ୍ଷ ୮୦ ହଜାର ଭୋଟରେ ଭର୍ତୃହରିଙ୍କ ଠାରୁ ପଛରେ ପଡିଯାଇଥିଲେ ଅପରାଜିତା ।

ଓଲିଉଡରେ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣିଆସୁଥିବା ଏହି ବିଶିଷ୍ଟ ଅଭିନେତ୍ରୀ କିନ୍ତୁ ରାଜନୀତିର ଡେବ୍ୟୁ ମ୍ୟାଚରେ ଫେଲ୍ ମାରିଥିଲେ । ପରାଜୟ ପରେ ଅପରାଜିତା କହିଥିଲେ, ରାଜନୀତିକୁ ଆସିବା ତାଙ୍କର ଭୁଲ ନିଷ୍ପତି ଥିଲା । ଏବେ ବୋଧହୁଏ ପୁଣି ମନ ବଦଲାଇଛନ୍ତି ଅପରାଜିତା । ୨୦୧୪ ସାଧାରଣ ନିର୍ବାଚନ ପରେ ହଠାତ୍ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ ଅପରାଜିତା । କୌଣସି ଦଳୀୟ କାର୍ଯ୍ୟକ୍ରମ, ନିର୍ବାଚନ କିମ୍ବା କ୍ୟାମ୍ପେନରେ ତାଙ୍କୁ ଦେଖିବାକୁ ମିଳିନଥଲା । ଆଗକୁ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ପୁଣି ଅଂଟା ଭିଡିଛନ୍ତି ଅପରାଜିତା । ଚର୍ଚା ହେଉଛି, ଏଥର ହାତରେ ପଦ୍ମ ଧରି ନିର୍ବାଚନ ମୈଦାନକୁ ଓହ୍ଲାଇବେ ଓଲିଉଡର ଏହି ଡ୍ରିମଗାର୍ଲ ।