ଥରହର ହେବ ଶତ୍ରୁ ଶିବିର, ଆକାଶମାର୍ଗରୁ ଟାର୍ଗେଟକୁ ନିମିଷକେ କରିବ ଧ୍ୱଂସ । ଆସନ୍ତାକାଲି ବାୟୁସେନାରେ ସାମିଲ ହେବ ବିଧ୍ୱଂସକାରୀ ବିମାନ ଅପାଚେ ।

620

ଏଥର ଆଉ ମିଳିବନି ତ୍ରାହି, ଥରହର ହେବ ଶତ୍ରୁ ଶିବିର । ଆଖି ପିଛୁଳାକେ ଶତ୍ରୁ ଶିବିରକୁ ଆକାଶମାର୍ଗରୁ ଧ୍ୱଂସ କରିବାକୁ ସେନାରେ ସାମିଲ ହେବ ବିଧ୍ୱଂସକାରୀ ଅପାଚେ ହେଲିକପ୍ଟର । ଆସନ୍ତାକାଲି ବାୟୁସେନାରେ ସାମିଲ ହେବ ଆମେରିକା ନିର୍ମିତ ଅପାଚେ ଏଏଚ୍ ୬୪ ଇ ହେଲିକପ୍ଟର । ଆଉ ଏହି ହେଲିକପ୍ଟର ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ । ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପାକିସ୍ତାନ ସୀମା ନିକଟବର୍ତ୍ତୀ ପଠାନକୋଟ ଏୟାରବେସରେ ସାମିଲ କରାଯିବ ।

ଆକାଶପଥରୁ ଆଖି ପିଛୁଳାକେ ଟାର୍ଗେଟକୁ ଧ୍ୱଂସ କରିପାରୁଥିବା ଏହି ହେଲିକପ୍ଟର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ । ଟ୍ୟାଙ୍କ୍, ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଅପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା । ଏହି ହେଲିକପ୍ଟରରେ ୩୦ ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

୧୫୦ ନଟିକାଲ ମିଲ ବେଗରେ ଉଡାଣ ଭରୁଥିବା ଏହି ଅପାଚେ ହେଲିକପ୍ଟରରେ ହାଇଡ୍ରା ଅନଗାଇଡେଡ ରକେଟ ମଧ୍ୟ ରହିଛି । ଯାହା ସ୍ଥଳଭାଗରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରିଥାଏ । ୨୦୧୫ରେ ଆମେରିକା ସହ ୨୨ଟି ହେଲିକପ୍ଟର ପାଇଁ ଚୁକ୍ତି କରିଥିଲା ଭାରତ । ଶତ୍ରୁପକ୍ଷର ସୀମାରେ ପଶି ଆକ୍ରମଣ କରିବାରେ ମାହିର ଥିବା ଏହି ହେଲିକପ୍ଟରକୁ ଆମେରିକା ସେନା ମଧ୍ୟ ବ୍ୟବହାର କରୁଛି । ଭାରତୀୟ ବାୟୁସେନା ଏବେ ଋଷ ନିର୍ମିତ ଏମଆଇ ୩୫ ଓ ଏମଆଇ୍ ୨୫ ହେଲିକପ୍ଟର ବ୍ୟବହାର କରୁଛି । ପାକିସ୍ତାନର ବାରମ୍ବାର ପରମାଣୁ ଧମକ ମଧ୍ୟରେ ଅପାଚେ ହେଲିକପ୍ଟର ସାମିଲ ହେବା ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବ ।