ନିରାଶ୍ରୟ ଶ୍ରୀୟାକୁ ମିଳିଗଲା ନୂଆ ଆଶ୍ରୟ : ୫ମାସ ତଳେ ମାଆର ମୃତଦେହ ପାଖରେ ରାହାଧରି କାନ୍ଦୁଥିଲା କୁନିଝିଅ

38

କନକ ବ୍ୟୁରୋ :  ନିରାଶ୍ରୟ ଶ୍ରୀୟାକୁ ମିଳିଗଲା ନୂଆ ଆଶ୍ରୟ । ୫ମାସ ତଳେ ମାଆକୁ ହରାଇ ଜଙ୍ଗଲରେ ରାହାଧରି କାନ୍ଦୁଥିବା ଶିଶୁକନ୍ୟାକୁ ମିଳିଯାଇଛନ୍ତି ନୂଆ ବାପା ମାଆ । ତାକୁ ଆପଣେଇ ନେଇଛନ୍ତି ପଶ୍ଚିମବଙ୍ଗର ଏକ ଦମ୍ପତି । ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରି କୋରାପୁଟ ଦଶମନ୍ତପୁରସ୍ଥିତ ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ କୋଳେଇ ନେଇଛନ୍ତି ।

ମାଆର ମୃତଦେହ ପାଖରେ ବସି ଖୁବଜୋରରେ କାନ୍ଦୁଥିଲା କୁନି ଝିଅଟିଏ । ରାତିତମାମ ଶିଶୁଟି ଘନ ଅନ୍ଧାରରେ ବର୍ଷାଖାଇ, କାହାକୁ ପାଖରେ ନପାଇ ଡରିଯାଇଥିଲା । ଆଉ ପରଦିନ ସକାଳୁ ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଥିବାବେଳେ କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଅନେକ ପ୍ରୟାସ ପରେ ଶିଶୁଟିର କୌଣସି ପରିଚୟ ନମିଳିବାରୁ ତାର ନାଁ ଦିଆଯାଇଥିଲା ଶ୍ରୀୟା । ସରକାର ତାର ସମସ୍ତ ଚିକିତ୍ସା କରିବା ସହ ସୁସ୍ଥ ହେବା ପରେ ଦଶମନ୍ତପୁରସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣକାରୀ କେନ୍ଦ୍ରରେ ରଖାଇଥିଲେ ।

ଯେତେବେଳେ ଶ୍ରୀୟାର କେହି ଦାବିଦାର ନଥିବାରୁ ପୋଷ୍ୟ ସନ୍ତାନ ପାଇଁ ଆବେଦନ କରିଥିବା ପ୍ରଥମ ଦମ୍ପତିଙ୍କୁ ଆଇନ ଅନୁଯାୟୀ ହସ୍ତାନ୍ତର କରାଯାଉଛି । ହାଇଦ୍ରାବାଦରେ ରହୁଥିବା ପଶ୍ଚିମବଙ୍ଗର ଏହି ଦମ୍ପତି ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ପ୍ରଥମେ ଆବେଦନ କରିଥିଲେ । ତେଣୁ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରି ଏହି ଦମ୍ପତିଙ୍କୁ ଶ୍ରୀୟାକୁ ହସ୍ତାନ୍ତର କରାଯାଇଛି ।