ଦିଲ୍ଲୀରେ ଆଜି ବିରାଟ ଓ ଅନୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ! ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ନବଦମ୍ପତି

118

ଦିଲ୍ଲୀରେ ଆଜି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ । ଇଟାଲୀରେ ବିବାହ ଏବଂ ୟୁରୋପରେ ହନିମୁନ ପରେ ଏହି ନବ ବିବାହିତ ଦମ୍ପତି ଦିଲ୍ଲୀ ଫେରିଛନ୍ତି ଏବଂ ପୂର୍ବ ପ୍ରସ୍ତୁତି ଅନୁସାରେ ଦିଲ୍ଲୀରେ ଆୟୋଜନ ହେଉଛି ରିସେପ୍ସନ ପାର୍ଟି । ସୋସିଆଲ ମିଡିଆରେ ଘୁରିବୁଲୁଛି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ରିସେପ୍ସନର ନିମନ୍ତ୍ରଣ ପତ୍ର । ଯେଉଁଥିରେ ଲେଖାଯାଇଛି ଯେ, ଡିସେମ୍ବର ୨୧ ତାରିଖ ଅର୍ଥାତ ଆଜି ତାଜ ଡିପ୍ଲୋମାଟିକ ଏନକ୍ଲେଭର ଦରବାର ହଲରେ ରାତି ୮ଟା ୩୦ରୁ ଆରମ୍ଭ ହେବ ରିସୋପ୍ସନ ପାର୍ଟି । ରିସେପ୍ସନକୁ ନିମନ୍ତ୍ରଣ କରିବା ଲାଗି ଉଭୟ ନବ ଦମ୍ପତି ନିଜେ ବୁଲିବୁଲି ସାଙ୍ଗସାଥୀ ଓ ସଂପର୍କୀୟଙ୍କୁ ଭେଟୁଛନ୍ତି । ଏହାଛଡା ମୁମ୍ବାଇରେ ମଧ୍ୟ ଆଗାମୀ ଡିସେମ୍ବର ୨୬ ତାରିଖରେ ଆଉଏକ ରିସୋପ୍ସନ ପାର୍ଟି ରଖିଛନ୍ତି ବିରାଟ ଓ ଅନୁଷ୍କା ।

ଚର୍ଚ୍ଚା ହେଉଛି ଜାନୁଆରୀ ୫ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ସିରିଜରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ବିରାଟ କୋହଲୀ । ଏବଂ ଏହି ଗସ୍ତ ସମୟରେ ବିରାଟଙ୍କ ସହ ଅନୁଷ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ଯାଇପାରନ୍ତି । ତେବେ ନୂଆବର୍ଷ ଦକ୍ଷିଣ ଆଫ୍ରିକାରେ ମନେଇବେ ଅନୁଷ୍କା ଶର୍ମା । ଏବଂ ଜାନୁଆରୀ ପ୍ରଥମ ସପ୍ତାହରେ ମୁମ୍ବାଇ ଫେରି ନଜ ଅପକମିଙ୍ଗ ପ୍ରୋଜକ୍ଟରେ ହାତଦେବେ । ଟାଇଟଲ ସ୍ଥିର ହୋଇନଥିବା ଏକ ଫିଲ୍ମରେ ସେ ଶାହାରୁଖ ଖାନଙ୍କ ବିପକ୍ଷରେ କାମ କରିବେ । ଫେବ୍ରୁଆରୀରେ ବରୁନ ଧୱନଙ୍କ ବିପକ୍ଷରେ ‘ସୁଇ-ଧାଗା’ ଫିଲ୍ମ ପାଇଁ ମଧ୍ୟ କାମ ଆରମ୍ଭ କରିବେ ଅନୁାଷ୍କା ।

ରିସେପ୍ସନରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ବିରୁଷ୍କା । ନୂଆ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଏନେଇ ପିଏମଓ ଟ୍ୱିଟ୍ କରି ସୂଚନା ଦେଇଛି । ଗତ ୧୧ ତାରିଖରେ ଇଟାଲୀ ମିଲାନର ଟସ୍କନି ସହରରେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିଥିଲେ । ଏବଂ ବିହାହ ପରେ ଏହାକୁ ନିଜ ଟ୍ୱିଟର ପୋଷ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ବିରାଟ କୋହଲି । ପାରମ୍ପରିକ ପୋଷାକରେ ଉଭୟ ନବ ବିବାହିତ ଦମ୍ପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଏବଂ ଏହିଭଳି ଏକ ନିମନ୍ତ୍ରଣ ପତ୍ର ଦେଇ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ରିସେପ୍ସନ ପାର୍ଟିରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଫଟୋକୁ ମଧ୍ୟ ଟ୍ୱିଟ କରିଛି ।