ଅନୁରାଗ ଠାକୁର ବିସିସିଆଇ ମୁଖିଆ ହେବା ଏକ ପ୍ରକାର ଧାର୍ଯ୍ୟ:ସୂଚନା ଦେଲେ ଓସିଏ ସଂପାଦକ

19

କଟକ ବ୍ୟୁରୋ, କନକ ନ୍ୟୁଜ୍: ଅନୁରାଗ ଠାକୁର ଭାରତୀୟ କ୍ରିକେଟ ବୋର୍ଡର ପରବର୍ତୀ ସଭାପତି ହେବା ଏକ ପ୍ରକାର ଧାର୍ଯ୍ୟ । ୨୦୧୭ ପର୍ଯ୍ୟନ୍ତ ପୂର୍ବାଂଚଳ କ୍ରିକେଟ ଜୋନ ପାଇଁ ଏହି ପଦବୀ ରହିଛି । ଅନ୍ୟପଟେ ପୂର୍ବାଂଚଳ ଜୋନର ଆବାହକ ଓଡିଶା କ୍ରିକେଟ ଆସୋସିଏସନ ରହିଛି ଏବଂ ସଂପାଦକ ଆର୍ଶୀବାଦ ବେହେରା ଏନେଇ ଜୋନର ସମସ୍ତ ସଂଗଠନର ସଭାପତି ଓ ସଂପାଦକଙ୍କ ସହ ଆଲୋଚନା କରିସାରିଛନ୍ତି । ସମସ୍ତେ ଅନୁରାଗ ଠାକୁରଙ୍କୁ ସମର୍ଥନ କରିଥିବା ଜଣାପଡିଛି । ତେଣୁ ମେ ମାସ ଶେଷ ସୁଦ୍ଧା ଏକ ସାଧାରଣ ପରିଷଦ ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା ହେବ ବୋଲି ଓସିଏ ସଂପାଦକ କହିଛନ୍ତି । ଏହି ଜୋନରେ ଓଡିଶା ସମେତ ଆସାମ, ବେଙ୍ଗଲ, ତ୍ରିପୁରା, ଝାଡଖଣ୍ଡ, ନ୍ୟାସନାଲ କ୍ରିକେଟ୍ କ୍ଲବ ରହିଛି । ଚଳିତ ଥର ପୂର୍ବାଂଚଳକୁ ମିଳିଥିବା ସମୟ ମଧ୍ୟରେ ଦୁଇ ଜଣ ସଭାପତି ଭାବେ ଜଗମୋହନ ଡାଲମିଆ ଓ ଶଶାଙ୍କ ମନୋହର ନିର୍ବାଚିତ ହୋଇଥିଲେ । ଡାଲମିଆଙ୍କ ପରଲୋକ ପରେ ମନୋହର ଏହି ଦାୟିତ୍ୱ ନେଇଥିଲେ । ଏବେ ଶଶାଙ୍କ ମନୋହର ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ଆଇସିସି ସଭାପତି ନିର୍ବାଚିତ ହୋଇଛନ୍ତି । ତେଣୁ ବର୍ତମାନ ବିସିସିଆଇ ସଭାପତି ପଦ ଖାଲି ପଡିଛି ।