୭ବର୍ଷ ପରେ ଆସିଛି ବହୁଚର୍ଚ୍ଚିତ ଅନୁପମା ପ୍ରଧାନଙ୍କ ହତ୍ୟାକାଣ୍ଡର ରାୟ ! ସ୍ୱାମୀ ରାଜେଶ ଗୁଲାଟିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

50

କନକ ବ୍ୟୁରୋ : ୭ ବର୍ଷ ପରେ ଆସିଛି ବହୁଚର୍ଚ୍ଚିତ ଅନୁପମା ପ୍ରଧାନଙ୍କ ହତ୍ୟାକାଣ୍ଡର ରାୟ । ସ୍ତ୍ରୀକୁ ହତ୍ୟା କରି ୭୦ ଖଣ୍ଡ କରି କାଟିଥିବା ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୦ରେ ଘଟିଥିଲା ଏହି ବର୍ବର କାଣ୍ଡ ।  ଡେରାଡୁନରେ ଓଡ଼ିଆ ଝିଅ ଅନୁପମା ପ୍ରଧାନଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ ତାଙ୍କ ସ୍ୱାମୀ ରାଜେଶ ଗୁଲାଟୀ ।

ଏହି ମାମଲାରେ ହତ୍ୟାକାରୀ ରାଜେଶକୁ ଆଜୀବନ ଜେଲ ସହ ୧୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ଡେରାଡୁନର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ପତ୍ନୀ ଅନୁପମାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୭୦ ଖଣ୍ଡ କରି ଫ୍ରିଜରରେ ରଖିଥିଲେ ରାଜେଶ । ପରେ ପୁଲିସ ଏସଂପର୍କରେ ସୁରାକ୍ ପାଇ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରିଥିଲା । ଏହି ଘଟଣା କେବଳ ଉତରାଖଣ୍ଡ ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାଜେଶ ପେସାରେ ଜଣେ ଇଂଜିନିୟର, ତାଙ୍କ ଘର ଦିଲ୍ଲୀର ସତ୍ୟ ନିକେତନ ଅଂଚଳରେ ।

୧୯୯୯ ମସିହାରେ ସେ ଅନୁପମାଙ୍କୁ ବିବାହ କରିଥିଲେ । ପରେ ଉଭୟେ ଆମେରିକା ଚାଲିଯାଇଥିଲେ । ୨୦୦୮ରେ ସେମାନଙ୍କର ଦୁଇଟି ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ । ଆମେରିକାରୁ ଫେରି ଦିଲ୍ଲୀରେ ରହୁଥିବା ବେଳେ ଅନୁପମା ସ୍ୱାମୀଙ୍କ ପରକୀୟା ପ୍ରୀତି ସଂପର୍କରେ ଜାଣି ଯିବାରୁ ତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ଯୋଜନା କରିଥିଲା ରାଜେଶ । ତକିଆରେ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା ଏହି ସଇତାନ ସ୍ୱାମୀ ।