ଅନୁଗୁଳରେ ୧୬.୬୯ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଡିଫ୍ଲୋରିଡେସନ୍ ପ୍ରକଳ୍ପ ପ୍ରତିଷ୍ଠା କରିଛି ନାଲକୋ : ଏହା ଦ୍ୱାରା ପ୍ରକଳ୍ପର ଦୂଷିତ ପାଣିରୁ କମିବ ଫ୍ଲୋରାଇଡ

31

କନକ ବ୍ୟୁରୋ : ଅନୁଗୁଳରେ ପ୍ରତିଷ୍ଠା ହୋଇଥିବା ନାଲକୋ ଏହାର ଉତ୍ପାଦନ ବୃଦ୍ଧି ସହିତ ନୂଆ ପ୍ରଯୁକ୍ତିର ଉପଯୋଗ କରି ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛି । ଏହି କ୍ରମରେ ନାଲୋକ ଏହାର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ରକଳ୍ପ ପରିସରରେ ୧୬.୬୯ କୋଟି ଟଙ୍କା ବ୍ୟୟରେ ନାନୋ-ଭିତ୍ତିକ ଏମ୍ରିଅନ୍ ଟେକ୍ନୋଲୋଜି ଉପଯୋଗରେ ଏକ ଅତ୍ୟାଧୁନିକ ଡିଫ୍ଲୋରିଡେସନ୍ ପ୍ରକଳ୍ପ ପ୍ରତିଷ୍ଠା କରିଛି  । ଯାହା ଦ୍ୱାରା କି ପ୍ରକଳ୍ପରୁ ନିର୍ଗତ ଜଳରୁ ଫ୍ଲୋରାଇଡ ପ୍ରଦୂଷଣ ଦୂରୀଭୂତ ହୋଇପାରିବ । ନାଲୋକ ଏହି ପଦକ୍ଷେପ ବିଶ୍ୱରେ ପ୍ରଥମ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବିଶେଷତଃ ଅନୁଗୁଳ ଭଳି ଏକ ଶିଳ୍ପବହୁଳ ଅଞ୍ଚଳରେ ଏହି ପ୍ରକଳ୍ପ ପରିବେଶ ସୁରକ୍ଷା ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ନାଲୋକ ଏହାର ଅନୁଗୁଳ ସ୍ଥିତ ସମସ୍ତ ପ୍ରକଳ୍ପରେ ଶୂନ୍ୟ ନିର୍ଗମନ ବା ଜିରୋ ଡିସ୍ଚାର୍ଜ ବ୍ୟବସ୍ଥା ସୁନିଶ୍ଚିତ କରିଛି ।

 

ଏଥିସହିତ ପରିବେଶ ପ୍ରଦୂଷଣ ହ୍ରାସ ପାଇଁ କମ୍ପାନି ଅନେକ ଗୁଡ଼ିଏ ନୂତନ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି । ନାଲକୋର ସ୍ମେଲ୍ଟର ଆଲୁମିନିୟମ ଡ୍ରସ୍କୁ ଶତ ପ୍ରତିଶତ ପୁନଃଚକ୍ରଣ କରୁଥିବା ବିଶ୍ୱର ଏକମାତ୍ର ସ୍ମେଲ୍ଟର । ଅନୁଗୁଳରେ ନାଲ୍କୋର ୪.୬ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ସ୍ମେଲ୍ଟର ଏବଂ ୧୨ ଶହ ମେଗାଓ୍ଵାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ରହିଛି । କମ୍ପାନି ୮ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ବ୍ୟୟରେ ସ୍ମେଲ୍ଟରରେ ଏକ ନୂଆ ପଟ୍ଲାଇନର ସ୍ଥାପନ ଏବଂ ସ୍ମେଲଟରର ଆଧୁନିକୀକରଣ ଓ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର କ୍ଷମତା ବୃଦ୍ଧି କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ନାଲକୋ ଅଧ୍ୟକ୍ଷ ଡ ତପନ କୁମାର ଚାନ୍ଦ କହିଛନ୍ତି, ନାଲକୋ ସର୍ବଦା ପ୍ରକଳ୍ପ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଆସିଛି । କେବଳ ଉତ୍ପାଦନ ଏବଂ ଉତ୍ପାଦକତାରେ ଅଭିବୃଦ୍ଧି ନୁହେଁ, ସାମାଜିକ ବିକାଶ ପାଇଁ ଅଙ୍ଗୀକାରବଦ୍ଧତା କମ୍ପାନିର ଏକ ଅଂଶ ପାଲଟି ଯାଇଛି । ଫଳରେ ଅନୁଗୁଳକୁ ଜାତୀୟ ଶିଳ୍ପ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ସହ ଆମେ ପାରିପାର୍ଶ୍ୱିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ଓ ପରିବେଷର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେଉଛୁ ।